ଭୁବନେଶ୍ୱର: ରାଜ୍ୟ ସରକାର ତାଲିମ ଶେଷ କରିଥିବା ୯ ଜଣ ଆଇଏଏସ୍ ଅଧିକାରୀଙ୍କୁ ମଙ୍ଗଳବାର ନୂତନ ନିଯୁକ୍ତି ଦେଇଛନ୍ତି । ୨୦୨୪ ବ୍ୟାଚ୍ ଓଡ଼ିଶା କ୍ୟାଡର୍ ଆଇଏଏସ୍ ଅଧିକାରୀମାନଙ୍କୁ ଉପଜିଲ୍ଲାପାଳ ଦାୟିତ୍ୱ ମିଳିଛି । କଟକ ଜିଲ୍ଲା ଆଠଗଡ଼, ଅନୁଗୋଳର ତାଳଚେର, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, କୋରାପୁଟ, ରାୟଗଡ଼ା, କୋରାପୁଟ ଜିଲ୍ଲା ଜୟପୁର, ବାଲିଙ୍ଗିର ଜିଲ୍ଲାର ଟିଟିଲାଗଡ଼, ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଏବଂ ସୁନ୍ଦରଗଡ଼ ଜିଲ୍ଲା ବଣାଇଗଡାରେ ତାଲିମପ୍ରାପ୍ତ ଆଇଏଏସ୍ ଅଧିକାରୀଙ୍କୁ ଉପ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଆଇଏଏସ୍ ଅନିମେଶ ପ୍ରଧାନଙ୍କୁ ଆଠଗଡ଼ର ଉପଜିଲ୍ଲାପାଳ ଦାୟିତ୍ୱ ମିଳିଛି । ଅନିମେଶ ପ୍ରଧାନ ପ୍ରଶାସନିକ ସେବା ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ସେ ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାରେ ତାଲିମରେ ରହିଛନ୍ତି । ସେହିପରି ଆଇଏଏସ୍ ପ୍ରଜ୍ଞାନନ୍ଦନ ଗିରିଙ୍କୁ ତାଳଚେର, କସ୍ତୁରୀ ଶାଙ୍କୁ ଭବାନୀପାଟଣା, ଫାବି ରାସିଦଙ୍କୁ କୋରପୁଟ ଏବଂ ମୃଣାଳିକା ରାଠୋରଙ୍କୁ ରାୟଗଡ଼ାର ଉପ ଜିଲ୍ଲାପାଳ ଦାୟିତ୍ୱ ମିଳିଛି ।
ସେହିପରି ଆଇଏଏସ୍ ଶୁଭ୍ରା ପଣ୍ଡା ଜୟପୁରର ଉପଜିଲ୍ଲାପାଳ ହୋଇଥିବାବେଳେ ପୱନ କୁମାରଙ୍କୁ ଟିଟିଲାଗଡ଼ର ଦାୟିତ୍ୱ ମିଳିଛି । ସେହିପରି ଆଇଏଏସ୍ ଭଗତ କୁମାର କଲ୍ୟାଣ ରାୟଙ୍କୁ ପାରଳାଖେମୁଣ୍ଡି ଏବଂ ସନ୍ତୋଷ କୁମାର ପାତ୍ରଙ୍କୁ ବଣାଇଗଡ଼ା ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି । ସମସ୍ତ ନବ ନିଯୁକ୍ତ ଆଇଏଏସ୍ ଅଧିକାରୀମାନେ ଦ୍ୱିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଶେଷ କରିବା ପରେ ନୂତନ ନିଯୁକ୍ତି ପାଇଛନ୍ତି ।