ଜୟପୁର: ବନ୍ୟଜନ୍ତୁ ଚୋରା କାରବାର ବିରୋଧରେ ବଡ଼ ସଫଳତା ହାସଲ କରିଛି ଡାଇରେକ୍ଟୋରେଟ୍ ଅଫ୍ ରେଭେନ୍ୟୁ ଇଣ୍ଟେଲିଜେନ୍ସ (DRI)। ଗୁଜରାଟ DRIର ଏକ ସ୍ୱତନ୍ତ୍ର ଟିମ୍ କୋରାପୁଟ ଜିଲ୍ଲା ଜୟପୁରରେ ଚଢ଼ାଉ କରି ଗୋଟିଏ ଚିତାବାଘର ଛାଲ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଗିରଫ ବ୍ୟକ୍ତି ହେଲେ ବିଭୂତି ଭୂଷଣ ପାତ୍ର, ଯିଏ ଜୟପୁର ଇରିଗେସନ୍ କଲୋନୀ ଅଞ୍ଚଳର ବାସିନ୍ଦା। ସୂଚନା ଅନୁଯାୟୀ, ସେ ଚିତାବାଘ ଛାଲ ବିକ୍ରି ପାଇଁ ଡିଲ୍ କରୁଥିବା ବେଳେ DRI ଟିମ୍ ତାଙ୍କୁ ମାଡ଼ି ବସିଥିଲା।
ଜୟପୁର ଡିଭିଜନାଲ ଫରେଷ୍ଟ ଅଫିସର (DFO) ପ୍ରଶାନ୍ତ କୁମାର ପଟେଲ କହିଛନ୍ତି, ସୋମବାର DRI ଟିମ୍ ସମାନ୍ତରାଳ ଅପରେସନ୍ କରି ଚିତାବାଘ ଛାଲ, ଅଭିଯୁକ୍ତ ଓ ଘଟଣାରେ ବ୍ୟବହୃତ ଗାଡ଼ିକୁ ବନ ବିଭାଗକୁ ହସ୍ତାନ୍ତର କରିଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଚିତାବାଘଟିକୁ ପ୍ରାୟ ୬ ମାସ ପୂର୍ବରୁ ଶିକାର କରାଯାଇଥିବା ସନ୍ଦେହ କରାଯାଉଛି। ବନ ବିଭାଗ ବର୍ତ୍ତମାନ ଏହାର ଉତ୍ସ, କେଉଁଠି ଓ କେବେ ବାଘଟିକୁ ମରାଯାଇଥିଲା ଏବଂ ଏହି ବନ୍ୟଜନ୍ତୁ ଚୋରା କାରବାର ପଛରେ ଥିବା ସମ୍ପୂର୍ଣ୍ଣ ନେଟୱର୍କର ଖୋଳତାଡ଼ କରୁଛି।