ଭୁବନେଶ୍ୱର: ରାଜ୍ୟରେ ଦୁର୍ବଳ ମୌସୁମୀ ପ୍ରବାହ ଜାରି ରହିଥିବା ବେଳେ ଉପକୂଳ ଓଡ଼ିଶାରେ ବଢ଼ିଛି ଗୁଳୁଗୁଳି ଓ ଅସହ୍ୟ ତାତି। ମଙ୍ଗଳବାର ଅନେକ ଉପକୂଳ ଅଞ୍ଚଳରେ ପ୍ରକୃତ ତାପମାତ୍ରା ଅପେକ୍ଷା ଅନୁଭୂତ ତାତି ଢେର୍ ଅଧିକ ରହିଛି। ଆର୍ଦ୍ରତା ଅଧିକ ଥିବାରୁ ଲୋକେ ପ୍ରବଳ ଗରମ ଅନୁଭବ କରୁଛନ୍ତି।
ଭାରତୀୟ ପାଣିପାଗ ବିଭାଗ (IMD)ର ସକାଳ ୧୧ଟା ୩୦ ସୁଦ୍ଧା ତଥ୍ୟ ଅନୁଯାୟୀ, ପୁରୀରେ ହିଟ୍ ଇଣ୍ଡେକ୍ସ ୫୦°C ଛୁଇଁଛି। ପୁରୀରେ ତାପମାତ୍ରା ୩୫.୪°C ଥିବା ବେଳେ ଆର୍ଦ୍ରତା ୬୬% ରହିଥିଲା। ସେହିପରି ବାଲେଶ୍ୱରରେ ୩୩.୬°C ତାପମାତ୍ରା ସହ ୭୧% ଆର୍ଦ୍ରତା ରହିଥିବା ବେଳେ ହିଟ୍ ଇଣ୍ଡେକ୍ସ ୪୬°C ରହିଥିଲା। ଚାନ୍ଦବାଲିରେ ୩୪.୨°C ତାପମାତ୍ରା ଓ ୬୪% ଆର୍ଦ୍ରତା ସହ ହିଟ୍ ଇଣ୍ଡେକ୍ସ ୪୫°C ରେକର୍ଡ ହୋଇଛି।
ରାଜଧାନୀ ଭୁବନେଶ୍ୱରରେ ୩୩.୮°C ତାପମାତ୍ରା ଓ ୬୬% ଆର୍ଦ୍ରତା ସହ ହିଟ୍ ଇଣ୍ଡେକ୍ସ ୪୪°C ରହିଛି। ଗୋପାଳପୁରରେ ୩୫.୨°C ତାପମାତ୍ରା ଓ ୫୩% ଆର୍ଦ୍ରତା ସହ ହିଟ୍ ଇଣ୍ଡେକ୍ସ ୪୨°C ଏବଂ ପାରାଦୀପରେ ୩୩.୪°C ତାପମାତ୍ରା ଓ ୬୧% ଆର୍ଦ୍ରତା ସହ ହିଟ୍ ଇଣ୍ଡେକ୍ସ ୪୧°C ରହିଛି।
ଆର୍ଦ୍ରତା ବଢ଼ିଲେ ଶରୀରର ଘାମ ସହଜରେ ବାଷ୍ପୀଭୂତ ହୋଇପାରେ ନାହିଁ। ଫଳରେ ପ୍ରକୃତ ତାପମାତ୍ରାଠାରୁ ଅଧିକ ଗରମ ଅନୁଭୂତ ହୁଏ। ଏହି କାରଣରୁ ଉପକୂଳ ଓଡ଼ିଶାରେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି।
ଦୁର୍ବଳ ମୌସୁମୀ ପ୍ରବାହ ଯୋଗୁଁ ଏଭଳି ଗରମ ଓ ଗୁଳୁଗୁଳି ସ୍ଥିତି ଜାରି ରହିଥିବା ବେଳେ ଆଗାମୀ ଦିନରେ ପାଣିପାଗରେ କି ପରିବର୍ତ୍ତନ ଆସୁଛି, ତା’ ଉପରେ ନଜର ରହିଛି।