ଭୁବନେଶ୍ୱର: ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଓଡ଼ିଶା ପୁଲିସ ଏବେଠୁ ସୁରକ୍ଷା ପ୍ରସ୍ତୁତି ଆରମ୍ଭ କରିବ। ରାଜ୍ୟ ପୁଲିସ ମୁଖ୍ୟାଳୟରେ କେନ୍ଦ୍ରାଞ୍ଚଳ ଅଧୀନ ଜିଲ୍ଲାଗୁଡ଼ିକର ଆଇନଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ସମୀକ୍ଷା ବୈଠକରେ ଡିଜିପି ବିନୟତୋଷ ମିଶ୍ର ଏସ୍ପିମାନଙ୍କୁ ଏକାଧିକ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ଡିଜିପି କହିଛନ୍ତି, ଗଣେଶ ପୂଜା, ନୂଆଖାଇ, ବିଶ୍ୱକର୍ମା ପୂଜା, ଦୁର୍ଗା ପୂଜା, ଗଜଲକ୍ଷ୍ମୀ, ଦୀପାବଳି, ଅଁଳା ନବମୀ, ପଞ୍ଚୁକ ଓ ବାଲିଯାତ୍ରା ଭଳି ବଡ଼ ପର୍ବ ଆଗକୁ ଥିବାରୁ ସମ୍ବେଦନଶୀଳ ସ୍ଥାନରେ ପର୍ଯ୍ୟାପ୍ତ ପୁଲିସ ମୁତୟନ, ଭିଡ଼ ନିୟନ୍ତ୍ରଣ ଓ ସୁଚାରୁ ଟ୍ରାଫିକ ପରିଚାଳନା ପାଇଁ ଏବେଠୁ ପ୍ଲାନ୍ ପ୍ରସ୍ତୁତ କରାଯିବ।
ବୈଠକରେ ହତ୍ୟା, ଚୋରି, ଡକାୟତି, ସାଇବର ଅପରାଧ, ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହ୍ରାସ, ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନ, ମାମଲାର ତ୍ୱରିତ ତଦନ୍ତ ଓ ଦୋଷୀ ସାବ୍ୟସ୍ତ ହାର ବୃଦ୍ଧି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ଡିଜିପି ସମସ୍ତ ଏସ୍ପିଙ୍କୁ ଶାନ୍ତି କମିଟି ବୈଠକ ଆୟୋଜନ, ଜନପ୍ରତିନିଧି ଓ ସ୍ଥାନୀୟ ସଂଗଠନ ସହ ସମନ୍ୱୟ ବଢ଼ାଇବା, ସାମ୍ପ୍ରଦାୟିକ ସମ୍ବେଦନଶୀଳ ଅଞ୍ଚଳ ଉପରେ କଡ଼ା ନଜର ରଖିବା ଏବଂ ସୋସିଆଲ୍ ମିଡିଆରେ ଗୁଜବ ଓ ଉତ୍ତେଜନାମୂଳକ ପୋଷ୍ଟ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ଏହାସହ ଥାନା ଅଧିକାରୀ ଓ SDPOମାନଙ୍କୁ ନିୟମିତ ଅଞ୍ଚଳ ପରିଦର୍ଶନ କରି ଜନସାଧାରଣଙ୍କ ସହ ସମ୍ପର୍କ ମଜବୁତ କରିବା ଓ ଅପରାଧୀଙ୍କ ଗତିବିଧି ଉପରେ ସତର୍କ ନଜର ରଖିବାକୁ କୁହାଯାଇଛି।