ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ସହ ଜଡ଼ିତ ଆହୁରି ତିନିଟି ପ୍ରସିଦ୍ଧ ନାମକୁ ଟ୍ରେଡ୍ ମାର୍କ ସୁରକ୍ଷା ପ୍ରାପ୍ତ ହୋଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ସହ ଜଡିତ 'ଶ୍ରୀମନ୍ଦିର', 'ରତ୍ନ ଭଣ୍ଡାର' ଓ 'ଶ୍ରୀନଅର' ଆଦି ନାଁ କୁ ମିଳିଲା ଟ୍ରେଡ୍ ମାର୍କ ସୁରକ୍ଷା । ଟ୍ରେଡମାର୍କସ୍ ରେଜେଷ୍ଟ୍ରି ପକ୍ଷରୁ ୩ଟି ନାଁକୁ ସୁରକ୍ଷା ପ୍ରଦାନ କରାଯାଇଛି।
ପ୍ରଥମ ପର୍ଯ୍ୟାୟରେ ତିନିଟି ନାମ ଯଥା- 'ଆନନ୍ଦ ବଜାର', 'ପତିତପାବନ' ଏବଂ 'ନୀଳଚକ୍ର ଲୋଗୋ' ମଞ୍ଜୁର ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ, 'ଜଗନ୍ନାଥ ଧାମ', 'ଶ୍ରୀକ୍ଷେତ୍ର', 'ମହାପ୍ରସାଦ', 'ନୀଳଚକ୍ର' ଏବଂ 'କୋଇଲି ବୈକୁଣ୍ଠ' ସମେତ ଆଉ ପାଞ୍ଚଟି ଆବେଦନ ପ୍ରକାଶନ ପାଇଁ ଗ୍ରହଣ କରାଯାଇଥିଲା । ଏହିପରି ଭାବେ ପୂର୍ବରୁ ୮ ଟି ନାଁ କୁ ମିଳିଥିଲା ଟ୍ରେଡ୍ ମାର୍କ ସୁରକ୍ଷା । ଆଜିର ଆଉ ତିନିଟି ନାଁ କୁ ମିଶାଇ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧ଟି ନାଁ କୁ ମିଳି ସାରିଲାଣି ଟ୍ରେଡ୍ ମାର୍କ ସୁରକ୍ଷା ।ଶ୍ରୀମନ୍ଦିର ସହିତ ଜଡ଼ିତ ନାମ ତଥା ଶବ୍ଦାବଳୀ କୁ ଅନଧିକୃତ ବ୍ୟବହାର ରୋକିବାକୁ ଶ୍ରୀମନ୍ଦିର ପ୍ରଶାସନ ଲକ୍ଷ୍ୟ ରଖିଛି ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ , ଶ୍ରୀମନ୍ଦିର ସହ ଘନିଷ୍ଠ ଭାବେ ଜଡ଼ିତ ନାମ ଓ ପରିଚୟ ଗୁଡ଼ିକର ଅନଧିକୃତ ବା ଅନୁପଯୁକ୍ତ ବାଣିଜ୍ୟିକ ବ୍ୟବହାରକୁ ରୋକିବାକୁ ଚାହୁଁଛୁ । ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ପକ୍ଷରୁ ଶ୍ରୀମନ୍ଦିର ସମ୍ପର୍କିତ ମୋଟ ୨୯ଟି ନାମକୁ ଟ୍ରେଡ୍ ମାର୍କ ପଞ୍ଜୀକରଣ ପାଇଁ ଆବେଦନ କରାଯାଇଛି । ଶ୍ରୀଜଗନ୍ନାଥ ମନ୍ଦିର ସହ ଜଡ଼ିତ ପବିତ୍ର ନାମ ତଥା ଶବ୍ଦକୁ ଯେଭଳି କୌଣସି ଅନୁଷ୍ଠାନ କିମ୍ବା ବ୍ୟକ୍ତି ଅପବ୍ୟବହାର ନ କରନ୍ତି ସେ ନେଇ ସୁନିଶ୍ଚିତ କରିବାକୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି ।