ଲଣ୍ଡନ: ବ୍ରିଟେନରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ସିଷ୍ଟମରେ ହଠାତ୍ ବୈଷୟିକ ତ୍ରୁଟି ଦେଖାଦେବାରୁ ବଡ଼ଧରଣର ବିମାନ ସେବା ବାଧାପ୍ରାପ୍ତ ହୋଇଛି। ଏହି କାରଣରୁ ଦେଶର ବିଭିନ୍ନ ପ୍ରମୁଖ ବିମାନବନ୍ଦରରେ ଶହ ଶହ ବିମାନ ଅଟକି ରହିବା ସହ ୩୦୦ରୁ ଅଧିକ ଫ୍ଲାଇଟ୍ କ୍ୟାନ୍ସେଲ୍ କରାଯାଇଛି। ହଠାତ୍ ଏଭଳି ସ୍ଥିତି ଉପୁଜିବାରୁ ବିମାନବନ୍ଦରଗୁଡ଼ିକରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ପ୍ରଭାବିତ ହୋଇଛି ପ୍ରମୁଖ ବିମାନବନ୍ଦର
ମିଳିଥିବା ସୂଚନା ଅନୁଯାୟୀ, ଏହି ଟେକ୍ନିକାଲ୍ ସମସ୍ୟା ଯୋଗୁଁ ଲଣ୍ଡନର ବିଶ୍ୱପ୍ରସିଦ୍ଧ ହିଥ୍ରୋ ଏବଂ ଗ୍ୟାଟବିକ୍ ଏୟାରପୋର୍ଟ ସମେତ ମ୍ୟାଞ୍ଚେଷ୍ଟର, ଷ୍ଟାନ୍ଷ୍ଟେଡ୍, ବର୍ମିଂହାମ ଏବଂ ସ୍କଟଲ୍ୟାଣ୍ଡର ବିଭିନ୍ନ ବିମାନବନ୍ଦରର କାର୍ଯ୍ୟକ୍ଷମତା ଗଭୀର ଭାବେ ପ୍ରଭାବିତ ହୋଇଛି। କେବଳ ଫ୍ଲାଇଟ୍ ରଦ୍ଦ ହୋଇନି, ବରଂ ଶହ ଶହ ବିମାନ ନିଜର ନିର୍ଦ୍ଧାରିତ ସମୟଠାରୁ ବହୁ ପଛରେ ଚଳାଚଳ କରୁଛି।
ସମସ୍ୟା ସୁଧାରିବାକୁ କାମ କରୁଛନ୍ତି ଇଞ୍ଜିନିୟର
ବ୍ରିଟେନର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ପ୍ରଦାତା ସଂସ୍ଥା 'ନେଟ୍ସ' ପକ୍ଷରୁ କୁହାଯାଇଛି ଯେ ଫ୍ଲାଇଟ୍ ପ୍ରୋସେସିଂ ସିଷ୍ଟମରେ ଏହି ବୈଷୟିକ ତ୍ରୁଟି ଦେଖାଦେଇଥିଲା। ଖବର ପାଇବା ପରେ ତ୍ୱରିତ ପଦକ୍ଷେପ ନିଆଯାଇ ଇଞ୍ଜିନିୟରମାନଙ୍କୁ କାମରେ ଲଗାଯାଇଛି। ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ସିଷ୍ଟମରେ ସୁଧାର ଅଣାଯାଉଛି ଏବଂ କ୍ରମଶଃ ବିମାନ ଚଳାଚଳ ସ୍ୱାଭାବିକ୍ ହେବାରେ ଲାଗିଛି। ତେବେ ଏହି ଅସୁବିଧା ପାଇଁ ଯାତ୍ରୀମାନଙ୍କୁ ଯେଉଁ ଅସୁବିଧା ଭୋଗିବାକୁ ପଡ଼ିଛି, ସେଥିପାଇଁ କର୍ତ୍ତୃପକ୍ଷ କ୍ଷମା ପ୍ରାର୍ଥନା କରିଛନ୍ତି।
ଯାତ୍ରୀମାନଙ୍କ ପାଇଁ ପରାମର୍ଶ
ଏଭଳି ଅପ୍ରତ୍ୟାଶିତ ସ୍ଥିତିକୁ ଦୃଷ୍ଟିରେ ରଖି ବ୍ରିଟେନର ବିଭିନ୍ନ ଏୟାରଲାଇନ୍ସ ଏବଂ ଏୟାରପୋର୍ଟ କର୍ତ୍ତୃପକ୍ଷ ଯାତ୍ରୀମାନଙ୍କୁ ଏୟାରପୋର୍ଟକୁ ବାହାରିବା ପୂର୍ବରୁ ନିଜ ନିଜର ଫ୍ଲାଇଟ୍ ଷ୍ଟାଟସ୍ ଯାଞ୍ଚ କରିନେବାକୁ ପରାମର୍ଶ ଦେଇଛନ୍ତି।
Also Read: ଶେଖ ହସିନାଙ୍କୁ ଉଠାଇ ଆଣିବୁ ଏବଂ ଫାଶି ଦେବୁ, ପୁଣି ଥରେ ନାଲି ଆଖି ଦେଖାଇଲା ବାଂଲାଦେଶ