ତେହେରାନ: ପଶ୍ଚିମ ଏସିଆରେ ଦିନକୁ ଦିନ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ ଇରାନ ଏବଂ ଦକ୍ଷିଣ କୋରିଆ ମଧ୍ୟରେ କୂଟନୈତିକ ସ୍ତରରେ ପାରଦ ଚଢ଼ିବାରେ ଲାଗିଛି। ରଣକୌଶଳ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ ପ୍ରଣାଳୀରେ ଦକ୍ଷିଣ କୋରିଆର ସାମରିକ ସକ୍ରିୟତାକୁ କଡ଼ା ବିରୋଧ କରିଛି ଇରାନ। ଏହି ସମ୍ବେଦନଶୀଳ ଜଳପଥରେ ସେନା ମୁତୟନ କିମ୍ବା କୌଣସି ପ୍ରକାରର ସାମରିକ ହସ୍ତକ୍ଷେପ ଜାରି ରହିଲେ ଏହାର ଅତ୍ୟନ୍ତ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଇରାନ ସରକାର ଦକ୍ଷିଣ କୋରିଆକୁ ସ୍ପଷ୍ଟ ଚେତାବନୀ ଦେଇଛନ୍ତି।
ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବିଶ୍ୱର ସବୁଠାରୁ ବଡ଼ ତେଲ ପରିବହନ ଜଳପଥଗୁଡ଼ିକ ମଧ୍ୟରୁ ହର୍ମୁଜ ପ୍ରଣାଳୀ ଅନ୍ୟତମ। ଏହି ଅଞ୍ଚଳରେ ବିଦେଶୀ ରାଷ୍ଟ୍ରମାନଙ୍କର ସାମରିକ ଉପସ୍ଥିତିକୁ ଇରାନ କେବେବି ବରଦାସ୍ତ କରିବ ନାହିଁ ବୋଲି ବାରମ୍ବାର ସତର୍କ କରାଇ ଆସିଛି। ବର୍ତ୍ତମାନ ଦକ୍ଷିଣ କୋରିଆ ଏହି ଅଞ୍ଚଳରେ ନିଜର ସାମରିକ କାର୍ଯ୍ୟକଳାପ ବୃଦ୍ଧି କରୁଥିବାରୁ ତେହେରାନ ପକ୍ଷରୁ ଏହି କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି।
ଇରାନର ଏହି କଡ଼ା ଚେତାବନୀ ପରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ଆହୁରି ଜଟିଳ ହେବାର ଆଶଙ୍କା ଦେଖାଯାଇଛି। ସାମରିକ ବିବାଦ ବୃଦ୍ଧି ପାଇଲେ ଏହା ସାମଗ୍ରିକ୍ ଭାବେ ବିଶ୍ୱ ବଜାରରେ ଅଶୋଧିତ ତୈଳ ଯୋଗାଣ ଏବଂ ଆନ୍ତର୍ଜାତୀୟ ବାଣିଜ୍ୟ ଉପରେ ଗଭୀର ପ୍ରଭାବ ପକାଇପାରେ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।
Also Read: ଅଟକିବନି ଅର୍ଥନୀତିର ଗତି! FY27 ରେ ବି ୭% ରୁ ଅଧିକ ରହିପାରେ GDP ଗ୍ରୋଥ୍