ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ଅଧୀନରେ ଥିବା ଜମିର ସେଟଲମେଣ୍ଟ (ବନ୍ଦୋବସ୍ତ) ନେଇ ରାଜ୍ୟ କ୍ୟାବିନେଟ୍ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଦୀର୍ଘବର୍ଷ ଧରି ଲୋକଙ୍କ ଦଖଲରେ ଥିବା ଶ୍ରୀମନ୍ଦିର ଜମିକୁ ନିର୍ଦ୍ଦିଷ୍ଟ ସର୍ତ୍ତ ଓ ସୁବିଧାଜନକ ମୂଲ୍ୟ ଆଧାରରେ ନିୟମିତ ବା ସେଟଲମେଣ୍ଟ କରାଯିବ। ଜମିର ଦଖଲ ଅବଧି ଏବଂ ପରିମାଣକୁ ଆଧାର କରି ଏହାର ମୂଲ୍ୟ ଏବଂ ଅନୁମୋଦନ କ୍ଷମତା ଧାର୍ଯ୍ୟ କରାଯାଇଛି।
ବସ୍ତି କିମ୍ବା ବାସଗୃହ ଜମି କ୍ଷେତ୍ରରେ ୨୦୧୯ ଫେବ୍ରୁଆରୀ ୨୮ ସୁଦ୍ଧା ଥିବା ଦଖଲର ଅବଧିକୁ ଭିତ୍ତିକରି ମୂଲ୍ୟ ଧାର୍ଯ୍ୟ ହେବ। ଏଥିପାଇଁ ବେଞ୍ଚ ମାର୍କ ଭାଲ୍ୟୁ (BMV) କିମ୍ବା ALSS ମଧ୍ୟରୁ ଯେଉଁଟି ଅଧିକ ହେବ, ତାହାକୁ ଆଧାର କରାଯିବ। ଜମି ଦଖଲର ସମୟସୀମା ଅନୁସାରେ ବିଭିନ୍ନ ବର୍ଗ ପାଇଁ ମୂଲ୍ୟରେ ରିହାତି ବ୍ୟବସ୍ଥା ରହିଛି, ଯେପରିକି ୩୦ ବର୍ଷରୁ ଅଧିକ ଦଖଲ ଥିଲେ ସାଧାରଣ ଲୋକଙ୍କ ପାଇଁ ୧୦ ପ୍ରତିଶତ, ସେବକଙ୍କ ପାଇଁ ୫ ପ୍ରତିଶତ ଏବଂ ନିଯୋଗ ସେବକଙ୍କ ପାଇଁ ୭.୫ ପ୍ରତିଶତ ଦେବାକୁ ପଡ଼ିବ।
ସେହିପରି ୨୦ରୁ ୩୦ ବର୍ଷ ଦଖଲ ଥିଲେ ସାଧାରଣ ଲୋକଙ୍କ ପାଇଁ ୧୫ ପ୍ରତିଶତ, ସେବକଙ୍କ ପାଇଁ ୭.୫ ପ୍ରତିଶତ ଏବଂ ନିଯୋଗ ସେବକଙ୍କ ପାଇଁ ୧୦ ପ୍ରତିଶତ ଧାର୍ଯ୍ୟ ହୋଇଛି। ୧୨ରୁ ୨୦ ବର୍ଷ ଦଖଲ ଥିଲେ ସାଧାରଣ ଲୋକଙ୍କ ପାଇଁ ୨୫ ପ୍ରତିଶତ, ସେବକଙ୍କ ପାଇଁ ୧୨.୫ ପ୍ରତିଶତ ଏବଂ ନିଯୋଗ ସେବକଙ୍କ ପାଇଁ ୧୫ ପ୍ରତିଶତ ମୂଲ୍ୟ ଦେବାକୁ ହେବ। ତେବେ ୦.୧୦୦ ଏକରରୁ ଅଧିକ ଏବଂ ୦.୨୫୦ ଏକର ପର୍ଯ୍ୟନ୍ତ ଜମି ହେଲେ ସମ୍ପୂର୍ଣ୍ଣ BMV ଦେବାକୁ ପଡ଼ିବ।
ଜମିର ପରିମାଣକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ ସ୍ତରୀୟ ଅଧିକାରୀଙ୍କୁ ଅନୁମୋଦନ କ୍ଷମତା ପ୍ରଦାନ କରିଛନ୍ତି। ଜିଲ୍ଲାପାଳ ୦.୦୫୦ ଏକର ପର୍ଯ୍ୟନ୍ତ ବସ୍ତି ଜମି ଏବଂ ୧ ଏକର ପର୍ଯ୍ୟନ୍ତ କୃଷି ଜମି ପାଇଁ ଅନୁମତି ଦେଇପାରିବେ। ଆର୍ଡିସି ୦.୦୫୦ରୁ ୦.୧୦୦ ଏକର ବସ୍ତି ଜମି ଏବଂ ୧ରୁ ୨ ଏକର କୃଷି ଜମି ପାଇଁ ଅନୁମୋଦନ ଦେବେ। ସେହିପରି ୦.୧୦୦ରୁ ୦.୨୫୦ ଏକର ବସ୍ତି ଜମି ଏବଂ ୦.୨୫୦ ଏକର ପର୍ଯ୍ୟନ୍ତ ବାଣିଜ୍ୟିକ ଜମି ପାଇଁ ଆଇନ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀ ଅନୁମତି ପ୍ରଦାନ କରିବେ।
ଅନ୍ୟପଟେ କୃଷି ଜମି କ୍ଷେତ୍ରରେ ସେବକମାନଙ୍କ ପାଇଁ ସ୍ୱତନ୍ତ୍ର ନିୟମ ରହିଛି। ସେବକମାନେ ୧ ଏକର ପର୍ଯ୍ୟନ୍ତ କୃଷି ଜମି ପାଇଁ ବେଞ୍ଚ ମାର୍କ ଭାଲ୍ୟୁର ୫୦ ପ୍ରତିଶତ ଏବଂ ୧ରୁ ୨ ଏକର ଜମି ପାଇଁ ସମ୍ପୂର୍ଣ୍ଣ ବେଞ୍ଚ ମାର୍କ ଭାଲ୍ୟୁ ପୈଠ କରିବାକୁ ପଡ଼ିବ ବୋଲି ନିଷ୍ପତ୍ତି ହୋଇଛି।