ଭୁବନେଶ୍ୱର: ରାଜ୍ୟରେ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍ର ୪୭ତମ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଭିନ୍ନ ପ୍ରମୁଖ ବିଭାଗର ମୋଟ ୧୮ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ବାଜିଛି। ବିଶେଷ କରି ବିଦ୍ୟୁତ ସଂରଚନା, ଶ୍ରୀମନ୍ଦିର ଜମି ନିୟମ, ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ କିଛି ବଡ଼ ଓ ସଂସ୍କାରମୂଳକ ନିଷ୍ପତ୍ତି ନିଆଯାଇଛି।
ବିଦ୍ୟୁତ କ୍ଷେତ୍ରର ସମ୍ପ୍ରସାରଣ ପାଇଁ ରାଜ୍ୟ ଇତିହାସରେ ସର୍ବାଧିକ ୧୫,୯୪୮.୭୦ କୋଟି ଟଙ୍କାର ବିଶାଳ ନିବେଶକୁ ଅନୁମୋଦନ ମିଳିଛି। ରାଜ୍ୟରେ ପ୍ରଥମ ଥର ପାଇଁ ୭୬୫ କେଭି ନେଟୱାର୍କ ବିକଶିତ ହେବା ସହ ଖୁଣ୍ଟୁଣୀ, ଡୁବୁରୀ ଓ କୋଲାବିରାରେ ୩ଟି ନୂଆ ଗ୍ରିଡ୍ ସବ୍ଷ୍ଟେସନ୍ ନିର୍ମାଣ କରାଯିବ। ଏହାଦ୍ୱାରା ୪୦୦ କେଭି ଏବଂ ୨୨୦ କେଭି ନେଟୱାର୍କ କ୍ଷମତା ବୃଦ୍ଧି ପାଇବ। ଏଥିସହିତ ହୀରାକୁଦ ଓ ଇନ୍ଦ୍ରାବତୀରେ ଫ୍ଲୋଟିଂ ସୋଲାର ପ୍ରକଳ୍ପ ଏବଂ କୃତ୍ରିମ ପ୍ରଜ୍ଞା (AI) ଆଧାରିତ ରକ୍ଷଣାବେକ୍ଷଣ ବ୍ୟବସ୍ଥା କରାଯିବ ବୋଲି ସ୍ଥିର ହୋଇଛି।
ଶ୍ରୀଜଗନ୍ନାଥ ମନ୍ଦିର ଜମି ପରିଚାଳନା ପାଇଁ 'ଶ୍ରୀଜଗନ୍ନାଥ ମନ୍ଦିର ଜମି ନିୟମ, ୨୦୨୬'କୁ ଲାଗୁ କରିବାକୁ ମଞ୍ଜୁରୀ ଦିଆଯାଇଛି ଏବଂ ପୁରୁଣା ୨୦୦୩ ଓ ୨୦୧୯ ନୀତିକୁ ବାତିଲ କରାଯାଇଛି। ନୂତନ ବ୍ୟବସ୍ଥା ଅନୁଯାୟୀ ସମ୍ପୂର୍ଣ୍ଣ ଅନଲାଇନ୍ ପୋର୍ଟାଲ, ଜିଆଇଏସ୍ (GIS) ମ୍ୟାପିଂ ଏବଂ ଭୂଲେଖ ସହ ସଂଯୋଗ ରହିବ। ଜମି ଜାଲିଆତି ରୋକିବା ସହିତ BMV କିମ୍ବା ALSS ମଧ୍ୟରୁ ଯେଉଁ ହାର ଅଧିକ ହେବ, ସେହି ଅନୁସାରେ ସେଟଲମେଣ୍ଟ କରାଯିବ ବୋଲି କ୍ୟାବିନେଟ୍ ସ୍ପଷ୍ଟ କରିଛି।
ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ସରକାର 'ପଞ୍ଚସଖା ଶିକ୍ଷା ସେତୁ' ଯୋଜନା ଆଣିଛନ୍ତି, ଯେଉଁଥିରେ ସରକାରୀ ସ୍କୁଲଗୁଡ଼ିକ ପାଇଁ ଦାତାମାନେ ଦାନ କଲେ ସରକାର ଦୁଇଗୁଣା ଅର୍ଥ ଅର୍ଥାତ୍ ସର୍ବାଧିକ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମ୍ୟାଚିଂ ଗ୍ରାଣ୍ଟ ପ୍ରଦାନ କରିବେ। ସେହିପରି OUSSSC ନିୟମ-୨୦୨୫ରେ ସଂଶୋଧନ କରାଯାଇ ପୋଲିସ, ଜେଲ, ଅବକାରୀ ଏବଂ ଜଙ୍ଗଲ ବିଭାଗର ଗ୍ରୁପ୍-ସି ପଦବୀଗୁଡ଼ିକ ପାଇଁ ଏକତ୍ରିତ 'Combined Recruitment Examination (CRE)' ମାଧ୍ୟମରେ ପରୀକ୍ଷା କରାଯିବ। ସ୍ୱାସ୍ଥ୍ୟ, ଗୃହ, କୃଷି ଏବଂ ସମବାୟ ସମେତ ୧୨ଟି ବିଭାଗର ଏହି ପ୍ରସ୍ତାବଗୁଡ଼ିକ ଆଗାମୀ ଦିନରେ 'ବିକଶିତ ଓଡ଼ିଶା ୨୦୩୬'ର ଲକ୍ଷ୍ୟ ହାସଲ ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।
Also Read: IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର