ଭୁବନେଶ୍ୱର: ରାଜ୍ୟ ବିଜେପିର ଦୁଇ ଦିନିଆ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ଶେଷ ହେବା ପରେ ଓଡ଼ିଶା ରାଜନୀତିରେ ଚଳଚଞ୍ଚଳତା ବୃଦ୍ଧି ପାଇଛି। ଆଗାମୀ ପଞ୍ଚାୟତ, ପୌର (ନଗରପାଳିକା) ଏବଂ ସମବାୟ ନିର୍ବାଚନକୁ ଆଖିଆଗରେ ରଖି ଦଳ ପକ୍ଷରୁ ଏକ ସ୍ୱତନ୍ତ୍ର ୩ ମାସିଆ 'ରୋଡ୍ମ୍ୟାପ୍' ଚୂଡ଼ାନ୍ତ କରାଯାଇଛି। ବୈଠକ ସରିବା କ୍ଷଣି କେନ୍ଦ୍ରୀୟ ନେତା ଓ ରାଜ୍ୟ ଶୀର୍ଷ ନେତୃତ୍ୱ ଦିଲ୍ଲୀ ଅଭିମୁଖେ ବାହାରିଥିବା ବେଳେ ରାଜ୍ୟର ଅନ୍ୟ ନେତା ଓ କାର୍ଯ୍ୟକର୍ତ୍ତାମାନେ ସିଧାସଳଖ ଗ୍ରାଉଣ୍ଡ ଜିରୋ ବା ଗାଁ ଆଡ଼କୁ ମୁହାଁଇଛନ୍ତି।
ଗାଁ ଗାଁରେ ସଂଗଠନ ମଜବୁତ
ନିର୍ବାଚନ ପାଇଁ ମାସ କେଇଟା ବାକି ଥିବାରୁ କେନ୍ଦ୍ରୀୟ ନେତୃତ୍ୱ ଦଳୀୟ କର୍ମୀଙ୍କୁ ଅସଲ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ପରାମର୍ଶ ଦେଇଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଯେପରି ଲୋକଙ୍କ ସହ ଯୋଡ଼ିହୋଇ ସରକାର ଗଠନରେ ସଫଳତା ମିଳିଥିଲା, ସେହି ସମାନ ସୂତ୍ର ଆପଣାଇ ପୌର ଓ ପଞ୍ଚାୟତ ହାତେଇବାକୁ ଲକ୍ଷ୍ୟ ରଖାଯାଇଛି।
ଘରକୁ ଘର ଅଭିଯାନ
ପ୍ରତି ଗାଁ ଏବଂ ପ୍ରତି ଘରକୁ ଛୁଇଁବା ସହ 'ମାସିକିଆ ସେବା ସପ୍ତାହ' କାର୍ଯ୍ୟକ୍ରମକୁ ସଫଳ କରିବାକୁ କୁହାଯାଇଛି। ଗ୍ରାମାଞ୍ଚଳରେ ପାନୀୟ ଜଳ, ରାସ୍ତାଘାଟ ଭଳି ସମସ୍ୟାର ତଦାରଖ କରିବା ଏବଂ କେନ୍ଦ୍ରୀୟ ଯୋଜନାରେ ଅଧିକରୁ ଅଧିକ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଆଶା ପୂରଣ କରିବା ସହ ସେମାନଙ୍କ ସହ ସାଙ୍ଗଠନିକ ସମନ୍ୱୟ ରଖିବାକୁ ଗୁରୁତ୍ୱ ଦିଆଯାଇଛି।
ରାଜ୍ୟ ସଭାପତିଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା
ଅନ୍ୟପଟେ କାର୍ଯ୍ୟକାରିଣୀ ଶେଷ ହେବା ପରେ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ଦିଲ୍ଲୀ ଫେରିଥିବା ବେଳେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ୫ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ତାଙ୍କର ଏହି ଗସ୍ତକୁ ନେଇ ରାଜନୈତିକ ମହଲରେ ନାନା ଅଟକଳ ଆରମ୍ଭ ହୋଇଛି।
କାର୍ଯ୍ୟକାରିଣୀର ନିର୍ଯ୍ୟାସ, ରାଜନୈତିକ ପ୍ରସ୍ତାବ ଓ ତୃଣମୂଳ ସ୍ତରର ରିପୋର୍ଟ ସେ ରାଷ୍ଟ୍ରୀୟ ସଭାପତି ଓ କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ହସ୍ତାନ୍ତର କରିବେ। ରାଜ୍ୟର ବିଭିନ୍ନ ନିଗମ, ବୋର୍ଡ ନିଯୁକ୍ତି ଏବଂ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମ୍ପର୍କରେ କେନ୍ଦ୍ରୀୟ ମଞ୍ଜୁରୀ ଓ ପରାମର୍ଶ ପାଇଁ ଆଲୋଚନା ହୋଇପାରେ।
ବିଜେପି ପାଇଁ 'ଅଗ୍ନିପରୀକ୍ଷା'
ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ନିଜ ବଳରେ ସରକାର ଗଠନ କରିଥିବାରୁ ଆଗାମୀ ତୃଣମୂଳ ସ୍ତରର ନିର୍ବାଚନ ଦଳ ପାଇଁ ଏକ ବଡ଼ ଅଗ୍ନିପରୀକ୍ଷା ସଦୃଶ। ନିର୍ବାଚନୀ ମୈଦାନକୁ ଓଲ୍ହାଇବା ପୂର୍ବରୁ ସାଙ୍ଗଠନିକ ପୁନରବିନ୍ୟାସ ସହ ସରକାରଙ୍କ ଅଧୁରା କାମ ପୂରଣ କରି ଲୋକଙ୍କ ଆସ୍ଥା ଜିତିବାକୁ ବିଜେପି ଗୁରୁପ୍ଲାନ ପ୍ରସ୍ତୁତ କରିଛି।