ନୂଆଦିଲ୍ଲୀ: ଜନତାଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଏକ ଭିନ୍ନ ଭାବନା ଓ ଉତ୍ସାହ ରହିଛି । ଯାହାର ଜ୍ୱଳନ୍ତ ଉଦାହରଣ ଆଗାମୀ ଦିନରେ ହେବାକୁ ଥିବା ଏକ କାର୍ଯ୍ୟକ୍ରମର ପୂର୍ବର ସ୍ଥିତି । ମୋଦୀଙ୍କ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ବୁକିଂରେ ଘଣ୍ଟାକରେ ସମସ୍ତ ସିଟ୍ ଫୁଲ୍ ହୋଇଯାଇଛି । ଯାହା ଏକ ବିରଳ ରେକର୍ଡ ।
ଆସନ୍ତା ମଙ୍ଗଳବାର ଦିନର ଗୁଜରାଟର ବଦୋଦରା ସହରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ କାର୍ଯ୍ୟକ୍ରମ ରଖାଯାଇଛି । ପ୍ରଥମ ଥର ପାଇଁ ମୋଦୀଙ୍କ କାର୍ଯ୍ୟକ୍ରମ ପାଇଁ ଅନଲାଇନ୍ ଟିକେଟ୍ ବୁକିଂ ବ୍ୟବସ୍ଥା କରାଯାଇଥିଲା । ବଡ଼ୋଦରା ମହାନଗର ନିଗମ ଅନଲାଇନ୍ ବୁକିଂ ୱେବସାଇଟ “ବୁକ୍ ମାଇଁ ଶୋ” (Book my Show)କୁ ଦାୟିତ୍ୱ ଦେଇଥିଲା । ଲୋକଙ୍କ ପାଇଁ ବିନା ଶୁଳ୍କରେ ବୁକିଂ କରିବାର ବ୍ୟବସ୍ଥା ରହିଥିଲା । ବୁକିଂ ଅପସନ୍ ଖୋଲିବା କ୍ଷଣି ମାତ୍ର ଘଣ୍ଟାକରେ ସମସ୍ତ ସିଟ୍ ସରିଯାଇଥିଲା । ପ୍ରାୟ ୪୨, ୦୦୦ ଲୋକ ୱେଟିଂ ଲିଷ୍ଟ ବା ଅପେକ୍ଷା ରହିଛନ୍ତି ।
ଏହି କାର୍ଯ୍ୟକ୍ରମ ଦେଖିବାକୁ ଡିଜିଟାଲ ମାଧ୍ୟମରେ ପ୍ରବେଶ କରିବାର ବ୍ୟବସ୍ଥା ରହିବ । ଅନଲାଇନରେ ପଞ୍ଜିକରଣ କରାଇଥିବା ଲୋକଙ୍କୁ ଏକ ଡିଜିଟାଲ ଟିକେଟ୍ ମିଳିବ । ଯେଉଁଥିରେ ଏକ କ୍ୟୁଆର୍ କୋଡ୍ ରହିବ । କାର୍ଯ୍ୟକ୍ରମ ଦିନ ଲୋକେ ଉକ୍ତ ଡିଜିଟାଲ ଟିକେଟକୁ ସ୍କାନ କରି ଭିତରକୁ ପ୍ରବେଶ କରିପାରିବେ । ଏପରି ବ୍ୟବସ୍ଥା କରିବାର କାରଣ ଭିଡ଼ ହ୍ରାସ କରିବା ଏବଂ ଲୋକଙ୍କ ପାଇଁ ପ୍ରବେଶକୁ ସହଜ କରିବା ବୋଲି କୁହାଯାଇଛି ।
ଉଲ୍ଲେଖନୀୟ ଯେ ପ୍ରଧାନମନ୍ତ୍ରୀ ମୋଦୀ ମଙ୍ଗଳବାର ଦିନ ଗୁଜରାଟ ଏବଂ ମହାରାଷ୍ଟ୍ର ଗସ୍ତ କରି ଏକାଧିକ ଲୋକାଭିମୁଖୀ ପ୍ରକଳ୍ପର ଶିଳାନ୍ୟାସ, ଭିତ୍ତି ପ୍ରସ୍ତର ସ୍ଥାପନ ଏବଂ ଲୋକାର୍ପିତ କରିବେ । ମୋଟ ୨୦,୭୦୦ କୋଟିରୁ ଅଧିକ ବ୍ୟୟରେ ବିକଶିତ ପଶ୍ଚିମ ସମର୍ପିତ ମାଲ ପରିବହନ କରିଡର (WDFC)ର ତିନୋଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ (ଉତ୍ତର)-ମକରପୁରା, ନ୍ୟୁ ଉମରଗାଓଁ-ନ୍ୟୁ ସାଫାଲେ ଏବଂ ନ୍ୟୁ ସାଫାଲେ-ଜବାହରଲାଲ ନେହେରୁ ବନ୍ଦର ପ୍ରାଧିକରଣ (JNPA)ର ଉଦଘାଟନ କରିବେ । ଏହା ସହିତ ସେ ବଦୋଦରା ଏବଂ ଟାଣ୍ଡା ରୋଡ ମଧ୍ୟରେ ଏକ ନୂତନ ରେଳ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଯାହା ବଦୋଦରା, ଉଦୟପୁର ଏବଂ ଆଲିରାଜପୁର ଜିଲ୍ଲାକୁ ସଂଯୋଗ କରୁଛି ।