ଭୁବନେଶ୍ୱର : ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଏଣିକି ଗୋଟିଏ ବୋର୍ଡ ହେବ । ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ ବର୍ତ୍ତମାନ ଥିବା ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (BSE) ଏବଂ କାଉନସିଲ୍ ଅଫ୍ ହାୟର ସେକେଣ୍ଡାରୀ ଏଜୁକେସନ୍ (CHSE) ବଦଳରେ ଗୋଟିଏ ବୋର୍ଡ ବ୍ୟବସ୍ଥା ଲାଗୁ କରିବାକୁ ସରକାର ଯୋଜନା କରୁଛନ୍ତି । ଏନେଇ ଗଣଶିକ୍ଷା ସଚିବ ଏନ୍ ତିରୁମାଲା ନାୟକ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ ଦଶମ ଓ ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ ଗଠନ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି।
ଆଗାମୀ ଦିନରେ ରାଜ୍ଯରେ ପାଠ୍ୟକ୍ରମ ଏବଂ ପରୀକ୍ଷା ପରିଚାଳନା ପାଇଁ BSE ଓ CHSE ଅଲଗା ଅଲଗା ବୋର୍ଡ ଭାବେ ରହିବ ନାହିଁ। ଉଭୟ ଶ୍ରେଣୀର ପରୀକ୍ଷା ଗୋଟିଏ ବୋର୍ଡ ଅଧୀନରେ କରାଯିବ। ଏହି ବ୍ୟବସ୍ଥା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE)ର ଢାଞ୍ଚା ଭଳି ହେବ। ଯେପରି ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ଉଭୟ ପରୀକ୍ଷା ପରିଚାଳନା କରୁଛି ସେହିପରି ଓଡ଼ିଶାରେ ମଧ୍ୟ ଗୋଟିଏ ବୋର୍ଡ ଉଭୟ ପରୀକ୍ଷା ପରିଚାଳନା କରିବ। ତେବେ ଏନେଇ ସରକାରୀ ଭାବେ କୌଣସି ଘୋଷଣା କରାଯାଇ ନାହିଁ ସମସ୍ତ ପ୍ରସ୍ତୁତି ପରେ ପଦକ୍ଷେପ ନିଆଯିବ ବୋଲି ସୂଚନା ରହିଛି।