ବାଲେଶ୍ୱର: ସାମାଜିକ ସୁରକ୍ଷା ଯୋଜନାରେ ଏକ ବଡ଼ ଧରଣର ଦୁର୍ନୀତିର ଗନ୍ଧ ବାରିଛି ଭିଜିଲାନ୍ସ ବିଭାଗ । ବୟସ୍କ ବ୍ୟକ୍ତିଙ୍କ ପାଇଁ ଉଦ୍ଧିଷ୍ଟ ଭତ୍ତା ଟଙ୍କା ନିଜ ଟଙ୍କାକୁ ନିଜ ପକେଟରେ ପୂରାଇ ମାଲମାଲ ହୋଇଛନ୍ତି ପଞ୍ଚାୟତ ଅଧିକାରୀ । ଭିଜିଲାନ୍ସ ଆଜି ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକର ତିନି ଜଣ ପଞ୍ଚାୟତ ସ୍ତରୀୟ ଅଧିକାରୀଙ୍କୁ ୧୬.୭୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ଗିରଫ କରିଛି । ସେମାନେ ହେଲେ କଖରା ପଞ୍ଚାୟତର ପୂର୍ବତନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ କୁମାର ପତି, ଖଇକା ବ୍ଲକ କୁମ୍ଭାରମୁଳି ପଞ୍ଚାୟତର ପୂର୍ବତନ ପିଇଓ ଚିତ୍ତରଞ୍ଜନ ବାଗସିଂ ଏବଂ ଭୋଗରାଇ ବ୍ଲକ ଜଳେଶ୍ୱରପୁର ପଞ୍ଚାୟତର ଆକାଉଣ୍ଟାଣ୍ଟ ତଥା ଡାଟା ଏଣ୍ଟ୍ରି ଅପରେଟର ଗୌତମ ଦଳାଇ ।
ତଦନ୍ତରୁ ଜଣାପଡିଛି ଯେ ୨୦୨୨ ରୁ ୨୦୨୫ ପର୍ଯ୍ୟନ୍ତ ସେମାନଙ୍କର କାର୍ଯ୍ୟକାଳ ମଧ୍ୟରେ, ଅଭିଯୁକ୍ତ ଅଧିକାରୀମାନେ ଭୋଗରାଇ ବ୍ଲକ ଉନ୍ନୟନ କାର୍ଯ୍ୟାଳୟରୁ ଯୋଗ୍ୟ ବୃଦ୍ଧ ହିତାଧିକାରୀଙ୍କ ମାସିକ ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ ପାଇଁ ନିୟମିତ ଭାବରେ ଆଗୁଆ ଟଙ୍କା ଉଠାଇଥିଲେ । କିନ୍ତୁ ଭତ୍ତା ବଣ୍ଟନ ପରେ ଅବଶିଷ୍ଟ ନଗଦ ଟଙ୍କାକୁ ଫେରସ୍ତ କରିନଥିଲେ କିମ୍ବା ହିସାବ ମଧ୍ୟ ଦେଇ ନ ଥିଲେ । ତିନି ଜଣ ରୀତିମତ ଭାବରେ ସେମାନଙ୍କର ବ୍ୟକ୍ତିଗତ ଲାଭ ପାଇଁ ମୋଟ ୧୬ ଲକ୍ଷ ୭୬ ହଜାର ୫୦୦ ଟଙ୍କା ହଡ଼ପ କରିଥିବା ଜଣାପଡ଼ିଛି ।
ଭିଜିଲାନ୍ସ ବାଲେଶ୍ୱର ଭିଜିଲାନ୍ସ ପିଏସ୍ କେସ୍ ନମ୍ବର ୨୨/୨୦୨୬, ପିସି (ସଂଶୋଧନ) ଆଇନ, ୨୦୧୮/୪୦୯ ଆଇପିସିର ଧାରା ୧୩(୨) ଆର/ଡବ୍ଲୁ ୧୩(୧)(ଏ) ଅନୁଯାୟୀ ତିନି ଜଣଙ୍କ ବିରୁଦ୍ଧରେ ମାମଲା ପଞ୍ଜିକୃତ କରିଛି । ସମସ୍ତ ଅଧିକାରୀଙ୍କ ଗିରଫ କରାଯିବା ପରେ କୋର୍ଟ ଚାଲାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।