ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରୁ ଆସିଛି ଏକ ହୃଦୟବିଦାରକ ଘଟଣା। ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’ ଓ ଝିଅଙ୍କ ମୃତ୍ୟୁ ଘଟିଛି। ଏହି ଅଭାବନୀୟ ଘଟଣା ଭବାନୀପାଟଣା ସଦର ଥାନା ଅଧୀନ କରଲାସୁଡ଼ା (କାର୍ଲାସୋଡା) ଗାଁରେ ଘଟିଛି। ମୃତକ ହେଲେ ଲଳିତା ନାଏକ ଓ ତାଙ୍କ ଝିଅ ଶୀତଳ ନାଏକ।
ସୂଚନା ଅନୁଯାୟୀ, ଘରେ ଲୁଗା ଶୁଖାଉଥିବା ସମୟରେ ଶୀତଳ ଅସାବଧାନତାବଶତଃ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ଝିଅକୁ ବଞ୍ଚାଇବା ପାଇଁ ଦୌଡ଼ି ଯାଇଥିବା ମା’ ଲଳିତା ମଧ୍ୟ ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଭୟଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ପ୍ରଥମେ ଝିଅ ଶୀତଳଙ୍କ ମୃତ୍ୟୁ ହୋଇଥିବାବେଳେ, ପରେ ଚିକିତ୍ସାଧୀନ ଅବସ୍ଥାରେ ମା’ ଲଳିତାଙ୍କର ମଧ୍ୟ ଜୀବନ ଚାଲିଯାଇଥିଲା।
ତେବେ ଏହି ଘଟଣା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ପରିବାର ଲୋକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ହସ୍ପିଟାଲରେ ଠିକ୍ ଭାବେ ଯାଞ୍ଚ ଓ ଚିକିତ୍ସା କରାଯାଇନଥିବାରୁ ଲଳିତାଙ୍କ ମୃତ୍ୟୁ ଘଟିଛି। ଚିକିତ୍ସାରେ ଅବହେଳା ବିରୋଧରେ ସେମାନେ ଦୁଇ ମୃତଦେହକୁ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଧାରଣା ଦେଇଛନ୍ତି।
ନ୍ୟାୟ, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ଘଟଣାର ନିରପେକ୍ଷ ତଦନ୍ତ ଦାବିରେ ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ପରିସ୍ଥିତିକୁ ନଜରରେ ରଖି ଜିଲ୍ଲାପାଳ କାର୍ଯ୍ୟାଳୟ ଓ ହସ୍ପିଟାଲ ପରିସରରେ ସଦର ଓ ଟାଉନ୍ ଥାନା ପୁଲିସ ମୁତୟନ କରାଯାଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।