ପୁରୀ: ଶ୍ରୀକୃଷ୍ଣ ଜନ୍ମଲୀଳାର ଚତୁର୍ଥ ଦିନରେ ଆଜି ଶ୍ରୀଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହେବ ପ୍ରଭୁ ବଳଭଦ୍ରଙ୍କ ଐତିହାସିକ ପ୍ରଳମ୍ବାସୁର ବଧ ବେଶ। ଦ୍ୱାପର ଯୁଗରେ ବଳରାମଙ୍କ ଦ୍ୱାରା ଅସୁର ପ୍ରଳମ୍ବାସୁର ବଧ ଲୀଳାକୁ ସ୍ମରଣ କରି ପ୍ରତିବର୍ଷ ଏହି ସ୍ୱତନ୍ତ୍ର ବେଶ ଶ୍ରୀମନ୍ଦିରରେ ପାଳନ କରାଯାଏ।
ପୌରାଣିକ କଥାନୁସାରେ, ବୃନ୍ଦାବନରେ ଗୋପବାଳକଙ୍କ ସହ ଖେଳୁଥିବା ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କୁ ବଧ କରିବା ପାଇଁ କଂସ ପ୍ରଚଣ୍ଡ ବଳଶାଳୀ ଦୈତ୍ୟ ପ୍ରଳମ୍ବାସୁରକୁ ପଠାଇଥିଲା। ଚତୁରତାର ସହ ଗୋପବାଳକ ବେଶ ଧାରଣ କରି ସେ ଖେଳରେ ସାମିଲ ହୋଇଥିଲା। ପରେ ସୁଯୋଗ ପାଇ ପ୍ରଭୁ ବଳରାମଙ୍କୁ କାନ୍ଧରେ ବସାଇ ଆକାଶକୁ ନେଇଯିବାକୁ ଉଦ୍ୟମ କରିଥିଲା। ସେହି ସମୟରେ ବଳରାମ ମହାପ୍ରଭୁ ମୁଷ୍ଟିକା ଘାତରେ ପ୍ରଳମ୍ବାସୁରକୁ ବିନାଶ କରିଥିଲେ।
ଆଜି ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ପରେ ରତ୍ନ ସିଂହାସନରେ ଏହି ବେଶ ଅନୁଷ୍ଠିତ ହେବ। କାଷ୍ଠ, ବେତ, କଳା, ଧଳା ଓ ନୀଳ କନାରେ ନିର୍ମିତ ପ୍ରାୟ ୪ ଫୁଟ ଉଚ୍ଚ ପ୍ରଳମ୍ବାସୁର ମୂର୍ତ୍ତିକୁ ପ୍ରଭୁ ବଳଭଦ୍ରଙ୍କ ନିମ୍ନଭାଗରେ ସଜାଯାଇଥାଏ। ଏହି ବେଶରେ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରା ସାଧାରଣ ବେଶରେ ବିରାଜମାନ ରହୁଥିବାବେଳେ, ପ୍ରଭୁ ବଳଭଦ୍ର ଅସୁରର ସ୍କନ୍ଧ ଉପରେ ବସିଥିବା ଅପୂର୍ବ ଦୃଶ୍ୟ ଭକ୍ତମାନଙ୍କୁ ଭାବବିହ୍ୱଳ କରିଥାଏ।
ଗତକାଲି କାଳୀୟଦଳନ ବେଶ ସମାପ୍ତ ହେବା ପରେ ଆଜିର ପ୍ରଳମ୍ବାସୁର ବଧ ବେଶ ଦେଖିବା ପାଇଁ ପୁରୀରେ ସକାଳୁ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଛି। ବିଶ୍ୱାସ ରହିଛି, ଏହି ଦିବ୍ୟ ବେଶର ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ଲାଭ ହୋଇଥାଏ।