ବାଙ୍କୀ: କଟକ ଜିଲ୍ଲା ବାଙ୍କୀର କଇଁମୁଣ୍ଡି ଛକ ନିକଟରେ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଚିପ୍ସ ବୋଝେଇ ଯାଉଥିବା ଏକ ହାଇୱା ଟ୍ରକ ଭାରସାମ୍ୟ ହରାଇ ୫ଟି ବଡ଼ ଗଛକୁ ଧକ୍କା ଦେଇଥିଲା। ଏହାପରେ ଟ୍ରକଟି ରାସ୍ତା ତଳକୁ ଖସିପଡ଼ିଥିଲା। ତେବେ ଏହି ଭୟଙ୍କର ଦୁର୍ଘଟଣାରେ ଡ୍ରାଇଭର ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଗତକାଲି ରାତିରେ ହାଇୱାଟି ତ୍ରିଶୂଳିଆରୁ ତିଗିରିଆ ଅଞ୍ଚଳକୁ ଚିପ୍ସ ଗୋଡ଼ି ନେଇ ଯାଉଥିଲା। କଇଁମୁଣ୍ଡି ଛକ ନିକଟରେ ପହଞ୍ଚିବା ବେଳେ ହଠାତ୍ ଗାଡ଼ିଟି ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥିବା ଗଛଗୁଡ଼ିକୁ ଧକ୍କା ଦେଇ ପ୍ରାୟ କିଛି ଫୁଟ ତଳକୁ ଖସିଯାଇଥିଲା।
ଦୁର୍ଘଟଣାରେ ହାଇବାର ସାମ୍ନା ଅଂଶ ସମ୍ପୂର୍ଣ୍ଣ ଭାବେ ଚୁରମାର ହୋଇଯାଇଛି। ଡ୍ରାଇଭର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କ ସହଯୋଗରେ ତାଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଘଟଣା ପରେ ଅଞ୍ଚଳରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛି।