ଭୁବନେଶ୍ୱର: ଆଜିଠାରୁ ଆବୁଧାବିର ଦୁଇ ଦିନିଆ "ଓଡ଼ିଶା ନିବେଶକ ସମ୍ମିଳନୀ" ଆୟୋଜିତ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିବେଶକ ସମ୍ମିଳନୀରେ ଯୋଗ ଦେଇ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ବିଭିନ୍ନ ବିଶ୍ୱ ସ୍ତରୀୟ କମ୍ପାନୀ ସହିତ ମାରାଥନ୍ ବୈଠକ ଓ ଆଲୋଚନା କରିବେ ।
ଆବୁଧାବିରେ ପହଁଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି । ଭାରତୀୟ ଦୂତାବାସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାର ଶିଳ୍ପ ବିକାଶ, ବୈଦେଶିକ ନିବେଶ ଓ ଯୁବବର୍ଗଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟ ନେଇ ୟୁଏଇରେ ଆୟୋଜିତ ହେଉଥିବା "ଓଡ଼ିଶା ନିବେଶକ ସମ୍ମିଳନୀ"ରେ ଯୋଗଦେବା ପାଇଁ ଆଜି ଆବୁଧାବିରେ ପହଞ୍ଚିଛି। ଆଗାମୀ ଦୁଇ ଦିନ ୟୁଏଇର ଶୀର୍ଷ ନିବେଶକ, ଶିଳ୍ପ ନେତୃବୃନ୍ଦ ଓ ପ୍ରତିଷ୍ଠିତ ବାଣିଜ୍ୟିକ ସଂସ୍ଥାଗୁଡ଼ିକ ସହ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ରାଜ୍ୟରେ ଦୀର୍ଘମିଆଦୀ ପୁଞ୍ଜିନିବେଶ ଏବଂ ଓଡ଼ିଶାକୁ ଏକ ଗ୍ଲୋବାଲ୍ ଇଣ୍ଡଷ୍ଟ୍ରିଆଲ୍ ହବ୍ ଭାବେ ଗଢ଼ିତୋଳିବା ପାଇଁ ଆମେ ସଂକଳ୍ପବଦ୍ଧ।
ଆଜି ଇଣ୍ଟରନ୍ୟାସନାଲ ହୋଲ୍ଡିଂ କମ୍ପାନୀ (IHC), ଇଣ୍ଡିଆନ ବିଜନେସ ଆଣ୍ଡ ପ୍ରଫେସନାଲ ଗ୍ରୁପ୍, ପେଟ୍ରୋ କେମିକାଲ କ୍ଷେତ୍ରର ବୋରଗ୍ (Borouge) କମ୍ପାନୀ ଆଦି ବିଶ୍ୱସ୍ତରୀୟ କମ୍ପାନୀର ପ୍ରମୁଖ ନେତୃତ୍ୱ ଏବଂ ଅଧିକାରୀମାନଙ୍କ ସହିତ ଆଲୋଚନା କରିବେ । ଏହା ପରେ ସନ୍ଧ୍ୟାରେ ଦୁବାଇରେ ‘One District One Product’ କାର୍ଯ୍ୟକ୍ରମ ଅଧୀନରେ ଉତ୍ପାଦିତ ଓଡ଼ିଶାର ବିଭିନ୍ନ ଦ୍ରବ୍ୟର ଏକ ପ୍ରଦର୍ଶନୀ ଉଦ୍ଘାଟିତ ହେବାର କାର୍ଯ୍ୟକ୍ରମ ରହିଛି ।
ସେହିପରି ୧୦ ତାରିଖ, ଗୁରୁବାର ଦିନ ୟୁଏଇର ଅର୍ଥନୀତି ତଥା ପର୍ଯ୍ୟଟନ ମନ୍ତ୍ରୀ ଏବଂ କାଉନ୍ସିଲ ଅଫ୍ ଇଣ୍ଟରନ୍ୟାସନାଲ ଇନ୍ଭେଷ୍ଟମେଣ୍ଟସ’ର ଅଧ୍ୟକ୍ଷ ଅବଦୁଲ୍ଲା ବିନ୍ ତକ୍ ଅଲ୍ ମାରିଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହାସହିତ ଇଣ୍ଡିଆନ ବିଜନେସ ଆଣ୍ଡ ପ୍ରଫେସନାଲ କାଉନସିଲ, ଏମିରେଟ୍ସ ଗ୍ଲୋବାଲ ଆଲୁମିନିଅମ୍ର ପ୍ରମୁଖ ନେତୃତ୍ୱମାନଙ୍କ ସହିତ ଆଲୋଚନା କରିବେ । ମିଡିଲ ଇଷ୍ଟ ରିସାଇକ୍ଲିଙ୍ଗ୍ ଆସୋସିଏସନ୍ ସହିତ ରାଉଣ୍ଡ ଟେବୁଲ ବୈଠକ, ଓଡ଼ିଶା ବିଜନେସ ଡେଲିଗେସନ୍ ସହିତ ଆଲୋଚନା ଆଦି କାର୍ଯ୍ୟକ୍ରମ ମଧ୍ୟ ରହିଛି ।
୧୧ ତାରିଖ, ଶୁକ୍ରବାର ଦିନ ଦୁବାଇରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍’ରେ ଉଦ୍ୟୋଗପତି ଓ ଶିଳ୍ପପତିମାନଙ୍କୁ ଭେଟି ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ବ୍ୟାପକ ସୁଯୋଗ ସମ୍ପର୍କରେ ଆଲୋଚନା କରିବେ । ଏହାସହିତ ପ୍ରବାସୀ ଓଡ଼ିଆ ମାନଙ୍କ ସହିତ ମଧ୍ୟ ଏକ ବ୍ୟାପକ ମତବିନିମୟ କାର୍ଯ୍ୟକ୍ରମ ରହିଛି । ୧୨ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରି ଆସିବେ ।