ପାରାଦୀପ: ଜଗତସିଂହପୁର ଜିଲ୍ଲାର ନିମିଡ଼ି ଗାଁର ଜଗନ୍ନାଥ ମନ୍ଦିରରୁ ଠାକୁର ମୂର୍ତ୍ତି ଓ ମୂଲ୍ୟବାନ ଅଳଙ୍କାର ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ପାରାଦୀପ ପୁଲିସ। ମାତ୍ର ୨ ଦିନ ମଧ୍ୟରେ ୩ ଜଣ ଅଭ୍ୟାସଗତ ଅପରାଧୀଙ୍କୁ ଗିରଫ କରାଯାଇଥିବା ବେଳେ ଚୋରି ହୋଇଥିବା ସମସ୍ତ ଠାକୁର ମୂର୍ତ୍ତି, ରୂପା ଓ ପିତ୍ତଳ ଅଳଙ୍କାର ସହ ମନ୍ଦିରର ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର ହୋଇଛି।
ଗତ ତିନି ଦିନ ପୂର୍ବେ ପାରାଦୀପ ଲକ୍ ଥାନା ଅଧୀନ ନିମିଡ଼ି ଗାଁର ଜଗନ୍ନାଥ ମନ୍ଦିରରେ ଏହି ବଡ଼ ଧରଣର ଚୋରି ଘଟିଥିଲା। ଚୋରମାନେ ମନ୍ଦିରରୁ ଦେବଦେବୀଙ୍କ ମୂର୍ତ୍ତି ଓ ମୂଲ୍ୟବାନ ଗହଣା ନେଇ ଫେରାର ହୋଇଯାଇଥିଲେ। ଚୋରି ହୋଇଥିବା ସାମଗ୍ରୀର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ବୋଲି ଜଣାପଡ଼ିଛି।
ଅଭିଯୋଗ ପାଇବା ପରେ ପାରାଦୀପ ପୁଲିସ ଏକ ସ୍ୱତନ୍ତ୍ର ତଦନ୍ତ ଟିମ୍ ଗଠନ କରି ଅଭିଯୁକ୍ତମାନଙ୍କ ସନ୍ଧାନ ଆରମ୍ଭ କରିଥିଲା। ତଦନ୍ତ ସମୟରେ ପାରାଦୀପ ଅଞ୍ଚଳର ୨ ଜଣ ଓ ଗଞ୍ଜାମ ଜିଲ୍ଲାର ୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୁଲିସ ସୂଚନା ଅନୁଯାୟୀ, ତିନିଜଣ ଯାକ ପୂର୍ବରୁ ମଧ୍ୟ ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଅଭ୍ୟାସଗତ ଅପରାଧୀ।
ପାରାଦୀପ ଏଏସପି ଅଜିଙ୍କ୍ୟ ମାନେ କହିଛନ୍ତି, ତଦନ୍ତ ବେଳେ ଚୋରି ହୋଇଥିବା ସମସ୍ତ ଦେବଦେବୀଙ୍କ ମୂର୍ତ୍ତି, ଅଳଙ୍କାର ଓ ମନ୍ଦିରର ଅନ୍ୟ ସାମଗ୍ରୀ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କୁ ବୁଧବାର କୋର୍ଟ ଚାଲାଣ କରାଯିବ। ପୁଲିସ ଏହି ଘଟଣାରେ ଆହୁରି କିଛି ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଦିଗରେ ମଧ୍ୟ ତଦନ୍ତ ଜାରି ରଖିଛି।