ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ବିଷମକଟକ ନିକଟସ୍ଥ ବୃନ୍ଦାବାଡ଼ି ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ରେଳଧାରଣା ନିକଟରୁ ଏକ ପୂର୍ଣ୍ଣବୟସ୍କ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଛି। ପ୍ରାଥମିକ ସୂଚନା ଅନୁସାରେ, ରାତିରେ କୌଣସି ଟ୍ରେନ୍ ଧକ୍କା ଦେବାରୁ ହାତୀଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।
ଏହି ଘଟଣା ରାୟଗଡ଼ା–ବିଷମକଟକ ରେଳପଥର ୧୨/୫–୭ କିଲୋମିଟର ନିକଟରେ, ବିଷମକଟକ ଓ ଥେରୁବାଲି ଷ୍ଟେସନ୍ ମଧ୍ୟରେ ଘଟିଥିବା ଜଣାପଡ଼ିଛି। ମୃତ ହାତୀର ଶରୀର ରେଳଧାରଣାଠାରୁ ପ୍ରାୟ ୩ ମିଟର ଦୂରରେ ପଡ଼ିଥିବା ଦେଖାଯାଇଛି।
ସ୍ଥାନୀୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବ୍ୟାଙ୍କର୍ ଲାଇଟ୍ ଇଞ୍ଜିନ୍ ଧକ୍କା ଦେଇଥିବା ଆଶଙ୍କା କରାଯାଉଛି। ତେବେ କେଉଁ ଟ୍ରେନ୍ କିମ୍ବା ଇଞ୍ଜିନ୍ ଧକ୍କା ଦେଇଥିଲା, ସେନେଇ ଏପର୍ଯ୍ୟନ୍ତ କୌଣସି ଅଧିକାରିକ ସ୍ପଷ୍ଟତା ମିଳିନାହିଁ।
ଖବର ପାଇ ରେଳ ସୁରକ୍ଷା ବଳ (RPF) ଓ ବନବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଲଗାତାର ବର୍ଷା ଯୋଗୁଁ ଉଦ୍ଧାର ଓ ତଦନ୍ତ କାର୍ଯ୍ୟରେ କିଛି ବିଳମ୍ବ ହେଉଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, କିଛି ମାସ ଧରି କଳାହାଣ୍ଡି ଅଞ୍ଚଳରୁ ଆସିଥିବା ୪ଟି ଜଙ୍ଗଲୀ ହାତୀ ବିଷମକଟକ ବ୍ଲକର ଭାତପୁର ଓ ବୃନ୍ଦାବାଡ଼ି ଅଞ୍ଚଳରେ ବିଚରଣ କରୁଥିଲେ। ମୃତ ଦନ୍ତାହାତୀ ସେହି ପଲର ଅଂଶ କି ନୁହେଁ, ତାହା ମଧ୍ୟ ବନବିଭାଗ ଯାଞ୍ଚ କରୁଛି। ତଦନ୍ତ ରିପୋର୍ଟ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।