ଭୁବନେଶ୍ୱର : ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ପାଇଁ ଅଡୁଆ ବଢ଼ିଲା। ବିଦ୍ୟାଭାରତୀଙ୍କୁ ଗିରଫ କରାଯିବା ସମ୍ଭାବନା ବଢିଛି । କାରଣ ଆଜି ହାଇକୋର୍ଟରେ ତାଙ୍କ ଆବେଦନ ଖାରଜ ହୋଇଯାଇଛି ।ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନିମ୍ନ ଅଦାଲତରେ ବ୍ୟକ୍ତିଗତ ହାଜିରାରୁ ମୁକ୍ତି ସହିତ ମୋଟ ଦୁଇଟି ଆବେଦନ କରିଥିଲେ ବିଦ୍ୟାଭାରତୀ। ସେପ୍ଟେମ୍ବର ୩ ତାରିଖରେ ହାଇକୋର୍ଟ ତାଙ୍କ ଆବେଦନ ଉପରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ । ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରହିଥିଲା । ଆଉ ଆଜି ରାୟ ଶୁଣାଣି କରି କୋର୍ଟ ବିଦ୍ୟାଭାରତୀଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି।
ସୂଚନା ଥାଉକି ଗତ ୨୦୨୧ ମସିହା ଜୁଲାଇ ୧୧ ତାରିଖ ରାତିରେ ଏସିଏଫ ସୌମ୍ୟରଞ୍ଜନ ଅତି ସନ୍ଦେହଜନକ ଅବସ୍ଥାରେ ପୋଡ଼ି ଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତା’ ପରଦିନ ତାଙ୍କର ମୃତ୍ୟୁ ହୋଇଥିଲା। ମାମଲାର ତଦନ୍ତ କରି ପତ୍ନୀ ବିଦ୍ୟାଭାରତୀଙ୍କ ବିରୋଧରେ ଅଗ୍ନି ନିର୍ବାପନରେ ଅବହେଳା ଦଫାରେ ଚାର୍ଜସିଟ ଦାଖଲ କରିବା ସହ ତତ୍କାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟାଙ୍କୁୁ କ୍ରାଇମବ୍ରାଞ୍ଚ କ୍ଲିନଚିଟ ଦେଇଥିଲା । ଏହାକୁ ଚ୍ୟାଲେଞ୍ଜ କରି ସୌମ୍ୟରଞ୍ଜନଙ୍କ ପରିବାର ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟରେ ମାମଲା ଦାଏର କରିଥିଲେଉକ୍ତ ଆବେଦନର ଶୁଣାଣି କରି ଏସଡିଜେଏମ କୋର୍ଟ ପାରଳାଖେମୁଣ୍ଡି, ଏହି ୩ ଜଣଙ୍କ ବିରୋଧରେ IPC ର ଦଫା ୩୦୨ (ହତ୍ୟା) ଏବଂ IPC ୧୨୦- ବି (ଅପରାଧିକ ଷଡଯନ୍ତ୍ର ରଚିବା)ରେ ମୋକଦ୍ଦମା ଚାଲିବ ବୋଲି ନିର୍ଦ୍ଦେଶ ଦେଇଥିଲେ। ତେବେ ବାରମ୍ବାର ସମନ ସତ୍ତ୍ୱେ ହାଜର ନହେବାରୁ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ୨୦୨୩ ମସିହାରେ ଜାମିନ ବିହୀନ ଗିରଫ ପରୱାନା ମଧ୍ୟ ଜାରି ହୋଇଥିଲା। ଯାହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରି ଅଭିଯୁକ୍ତମାନେ ସାମୟିକ ଆଶ୍ୱସ୍ତି ପାଇଥିଲେ। ତେବେ ଗତ ଜୁଲାଇ ମାସରେ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଆତ୍ମସମର୍ପଣ କରିଥିଲେ। ସେହି ଦିନଠାରୁ ସେ ବର୍ତ୍ତମାନ ପାରଳାଖେମୁଣ୍ଡି ଜେଲ୍ ରେ ବିଚାରଧୀନ କଏଦୀ ଭାବେ ଅଛନ୍ତି।