ଜଗତସିଂହପୁର : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଦେଲେ ଦୁର୍ବୃତ୍ତ। ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଶିଆଳୀ ବେଳାଭୂମିରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି । ଆଜି ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।
ସୂଚନା ଅନୁଯାଯୀ ଦୁର୍ବୃତ୍ତମାନେ ଶିଆଳୀ ବେଳାଭୂମିରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ କେବଳ ଭାଙ୍ଗି ନାହାନ୍ତି, ବରଂ ତାହାର କିଛି ଅଂଶ ଭାଙ୍ଗି ସେଠାରୁ ଲୁଟ୍ କରି ନେଇଥିବା ଅଭିଯୋଗ ହୋଇଛି । ପ୍ରତିମୂର୍ତ୍ତି ଭଙ୍ଗାଯିବା ନେଇ ପଦ୍ମପୁର ସରପଞ୍ଚ ପ୍ରତିମା ରାନୀ ପାତ୍ର ଏରସମା ଥାନାରେ ଏକ ଲିଖିତ ଅଭିଯୋଗ ଦାୟର କରିଛନ୍ତି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
୨୦୧୯ ମସିହାରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଦାମୋଦର ରାଉତଙ୍କ ଦ୍ବାରା ଏହି ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା । ଆହୁରି ଖବର ରହିଛି ଯେ ମାତ୍ର ଦୁଇ ଦିନ ପୂର୍ବରୁ ଏହି ଅଞ୍ଚଳରେ ସ୍ବର୍ଗତ ଦାମୋଦର ରାଉତଙ୍କର ଏକ ନବନିର୍ମିତ ପ୍ରତିମୂର୍ତ୍ତିକୁ ଜଙ୍ଗଲ ବିଭାଗ ପକ୍ଷରୁ ଭଙ୍ଗାଯାଇଥିବା ବେଳେ, ଏବେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯିବା ଘଟଣା ସ୍ଥାନୀୟ ଲୋକ ଓ ରାଜନୈତିକ ନେତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।