ସୁନ୍ଦରଗଡ଼: ଘଞ୍ଚ ଜଙ୍ଗଲ ଭିତରେ ଦୀର୍ଘ ଦିନ ଧରି ଚାଲିଥିବା ବେଆଇନ ଦେଶୀ ମଦ କାରବାର ଉପରେ ଏକ ବଡ଼ ଚଢ଼ାଉ କରିଛି ସୁନ୍ଦରଗଡ଼ ଅବକାରୀ ବିଭାଗ। ଲେଫ୍ରିପଡ଼ା ଥାନା ଅଧୀନ ପିଠାଭୂଇଁ ଜଙ୍ଗଲରେ ହୋଇଥିବା ମିଳିତ ରେଡ୍ରେ ୧୫,୬୦୦ କେଜି ମହୁଲ ପୋଚ ନଷ୍ଟ କରାଯାଇଥିବା ବେଳେ ୧,୩୮୦ ଲିଟର ଦେଶୀ ମଦ ଜବତ କରାଯାଇଛି।
ସୂଚନା ଅନୁସାରେ, ସୁନ୍ଦରଗଡ଼ ମୋବାଇଲ ୟୁନିଟ୍, ଉଜ୍ଜ୍ୱଳପୁର ରେଞ୍ଜ ଓ ହେମଗିର ରେଞ୍ଜ ଅବକାରୀ ଟିମ୍ ପୁଲିସ ସହଯୋଗରେ ଜଙ୍ଗଲ ଭିତରେ ଏହି ସ୍ୱତନ୍ତ୍ର ଅଭିଯାନ ଚଳାଇଥିଲେ। ଜଙ୍ଗଲ ମଧ୍ୟରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ମହୁଲ ପୋଚରୁ ଦେଶୀ ମଦ ପ୍ରସ୍ତୁତ କରାଯାଉଥିଲା।
ଅବକାରୀ ବିଭାଗ କହିଛି, ଗୁପ୍ତ ସୂଚନା ଆଧାରରେ ଏହି ଚଢ଼ାଉର ଯୋଜନା କରାଯାଇଥିଲା। ଘଞ୍ଚ ଜଙ୍ଗଲ ଭିତରେ ମଦ ପ୍ରସ୍ତୁତି ସ୍ଥଳ ଠାବ କରିବା ଓ ସମସ୍ତ ସାମଗ୍ରୀ ନଷ୍ଟ କରିବା ବଡ଼ ଚ୍ୟାଲେଞ୍ଜ ଥିଲେ ମଧ୍ୟ ଟିମ୍ ସଫଳତାର ସହ ଅଭିଯାନ ସମ୍ପୂର୍ଣ୍ଣ କରିଥିଲା।
ଏହି ଚଢ଼ାଉକୁ ସୁନ୍ଦରଗଡ଼ ଜିଲ୍ଲାରେ ଅବକାରୀ ବିଭାଗର ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି। ମାଜିଷ୍ଟ୍ରେଟ୍ ତଥା ଅତିରିକ୍ତ ତହସିଲଦାର କବିତା କିରଣଙ୍କ ଉପସ୍ଥିତିରେ ଏହି ରେଡ୍ କରାଯାଇଥିଲା। ଅଭିଯାନରେ ମୋବାଇଲ ୟୁନିଟ୍ ଇନ୍ସପେକ୍ଟର ନିରଞ୍ଜନ ସାହୁ, ଉଜ୍ଜ୍ୱଳପୁର ରେଞ୍ଜ ଅଧିକାରୀ ରୂପେଶ ମୁଖୀ, ହେମଗିର ରେଞ୍ଜ ଅଧିକାରୀ ସୁମିତ କୁମାର ସାହୁଙ୍କ ସହ ଅବକାରୀ କର୍ମଚାରୀ ଓ ଲେଫ୍ରିପଡ଼ା ପୁଲିସ ସାମିଲ ହୋଇଥିଲେ। ଜବତ ମଦ କେଉଁଠି ଚାଲାଣ ହେଉଥିଲା ଓ ଏହି ବେଆଇନ କାରବାର ପଛରେ କିଏ ରହିଛି, ସେନେଇ ଅବକାରୀ ବିଭାଗ ତଦନ୍ତ ଜାରି ରଖିଛି।