କେନ୍ଦ୍ରାପଡ଼ା: ଯେଉଁଠାରେ ପିଲା ଭବିଷ୍ୟତ ଗଢ଼ିବେ ସେଠି ଚାଲିଛି ମଦ ଆସର । ପିଲାଙ୍କୁ ଭଲ ବାଟରେ ଯିବାକୁ ରାସ୍ତା ଦେଖାଉଥିବା ଗୁରୁ ସୋମରସ ପ୍ରେମରେ । ବିଦ୍ୟାଳୟ ଅଫିସ ରୁମ ଭିତରେ ମଦ ସହ ମାଛ ଭାତର ଆସର । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ କୁରୁଜଙ୍ଗା ପଞ୍ଚାୟତ ଅମ୍ବୁରା ପ୍ରାଥମିକ ବିଦ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏହି ମଦ ନିଶା ପ୍ରଧାନ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି । ପ୍ରଧାନ ଶିକ୍ଷକ ସୁନାକର ନାୟକଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଛି ।
ଅଭିଯୋଗ ଅନୁସାରେ ଗତକାଲି , କୁରୁଜଙ୍ଗା ପଞ୍ଚାୟତ ଅମ୍ବୁରା ପ୍ରାଥମିକ ବିଦ୍ୟାଳୟରେ ମଦର ଆସର ଜମି ଥିଲା । ମଦ ସହ ଥିଲା ଭଜା ମାଛ । ବିଦ୍ୟାଳୟ ଅଫିସ ଭିତରେ କାହାକୁ ଖାତିର ନ କରି କବାଟ ବନ୍ଦ କରି ଭୋଜି କରିଥିଲେ ପ୍ରଧାନ ଶିକ୍ଷକ । ଯେତେ ଯିଏ କବାଟ ବାଡ଼େଇଥିଲେ ମଧ୍ୟ ଖୋଲି ନ ଥିଲେ । ପୂର୍ବରୁ ମଧ୍ୟ ବାରମ୍ବାର ଏପରି ହୋଇଆସୁଥିବାବେଳେ ଗତକାଲି ପ୍ରଧାନ ଶିକ୍ଷକ ଧରାପଡ଼ି ଯାଇଥିଲେ । ମଦ ନିଶାରେ ଛୁଟି ସମୟରେ ପିଲାଙ୍କୁ ନ ବାହାର କରି ବିଦ୍ୟାଳୟ ଗେଟରେ ତାଲା ପକାଇ ଦେଇଥିବାରୁ ଅଭିଯୋଗ ହୋଇଛି ।
ଶେଷରେ ବିଭାଗୀୟ ଅଧିକାରୀମାନେ ପହଁଚି ତାଲା ଭାଙ୍ଗି ବିଦ୍ୟାଳୟ ଭିତରକୁ ପ୍ରବେଶ କରିଥିଲେ । ସେପଟେ ପ୍ରଧାନ ଶିକ୍ଷକଙ୍କ ଭିଡ଼ିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ପ୍ରଧାନ ଶିକ୍ଷକ ମଦ ନିଶାରେ ଟଳମଳ ହେଉଛନ୍ତି । ଭଲରେ କଥା ମଧ୍ୟ ହୋଇପାରୁନାହାଁନ୍ତି ।
ଏ ନେଇ ତଦନ୍ତ କରାଯିବା ପରେ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି ।