ଭୁବନେଶ୍ୱର :ପାକିସ୍ତାନରେ ରହିଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜମି । ଓଡ଼ିଶାର ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଏକ ବୟାନ ପରେ ଏହି ସୂଚନା ସାମ୍ନାକୁ ଆସିଛି ଏବଂ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
ଓଡ଼ିଶା ସରକାର ଶ୍ରୀଜଗନ୍ନାଥ ମନ୍ଦିରର ଜମିକୁ ବେଆଇନ ଅକ୍ତିଆରରୁ ମୁକ୍ତ କରିବା ପାଇଁ ଏକ ବ୍ୟାପକ ଅଭିଯାନ ଆରମ୍ଭ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୬,୦୦୦ ଏକର ଜମି ଚିହ୍ନଟ କରାଯାଇଛି, ଯାହା ମଧ୍ୟରୁ ୨୫ରୁ ୨୬ ପ୍ରତିଶତ ଜମି ବର୍ତ୍ତମାନ ବେଆଇନ ଅକ୍ତିଆରରେ ରହିଛି। ଜଗନ୍ନାଥ ମନ୍ଦିରର କିଛି ଜମି ପାକିସ୍ତାନର ସିନ୍ଧୁ ଅଞ୍ଚଳରେ ମଧ୍ୟ ରହିଛି ଏବଂ ସେଗୁଡ଼ିକୁ ଚିହ୍ନଟ କରାଯାଉଛି। ସରକାରଙ୍କ ଏହି ଅଭିଯାନ କେବଳ ଓଡ଼ିଶା ମଧ୍ୟରେ ସୀମିତ ରହିବ ନାହିଁ ରାଜ୍ୟ ଭିତରେ ହେଉ କିମ୍ବା ବାହାରେ, ବେଆଇନ ଅକ୍ତିଆରରେ ଥିବା ମନ୍ଦିରର ଜମିଗୁଡ଼ିକୁ ଚିହ୍ନଟ କରାଯିବ।
ଆଇନ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ପାକିସ୍ତାନର ସିନ୍ଧ ପ୍ରଦେଶ ଅଞ୍ଚଳରେ ମହାପ୍ରଭୁ ଜଗନ୍ନାଥଙ୍କର କିଛି ଜମି ରହିଛି। ଭାରତର ବିଭିନ୍ନ ରାଜ୍ୟ ସହିତ ପାକିସ୍ତାନରେ ଥିବା ମହାପ୍ରଭୁଙ୍କ ଜମିର ମଧ୍ୟ ଧୀରେ ଧୀରେ ଚିହ୍ନଟ କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ପାକିସ୍ତାନର ସିନ୍ଧ ପ୍ରଦେଶରେ ବହୁ ସଂଖ୍ୟାରେ ସନାତନ ଧର୍ମାବଲମ୍ବୀ ଓ ଜଗନ୍ନାଥ ଭକ୍ତ ବସବାସ କରନ୍ତି। ପୂର୍ବରୁ ସିନ୍ଧରୁ ଅନେକ ଭକ୍ତ ପୁରୀ ଶ୍ରୀକ୍ଷେତ୍ରକୁ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଏହା ବ୍ୟତୀତ ପାକିସ୍ତାନର କରାଚି ଏବଂ ଶିଆଲକୋଟ ଭଳି ସ୍ଥାନରେ ମଧ୍ୟ ଶ୍ରୀ ଜଗନ୍ନାଥ ମନ୍ଦିର ଓ ସଂସ୍କୃତିର ଉପସ୍ଥିତି ରହିଛି ।