ବଲାଙ୍ଗିର: ସରକାରୀ ଓ ସମବାୟ ପାଣ୍ଠିର ୧୪.୨୨ ଲକ୍ଷ ଟଙ୍କା ଆତ୍ମସାତ୍ ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ୍ ଅଧୀନ ଯୁବା ପ୍ରାଥମିକ କୃଷି ସମବାୟ ସମିତି (PACS) ଲିମିଟେଡ୍ର ପୂର୍ବତନ ସେକ୍ରେଟାରି ଚିନ୍ତାମଣି ମଲ୍ଲିକଙ୍କୁ ଭିଜିଲାନ୍ସ ଗିରଫ କରିଛି।
ଭିଜିଲାନ୍ସ ସୂଚନା ଅନୁସାରେ, ୨୦୧୬-୧୭, ୨୦୨୦-୨୧, ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷରେ ସେ ଯୋଜନାବଦ୍ଧ ଭାବେ ୧୪ ଲକ୍ଷ ୨୨ ହଜାର ୪୬ ଟଙ୍କାର ଆର୍ଥିକ ଜାଲିଆତି କରିଥିବା ତଦନ୍ତରୁ ସାମ୍ନାକୁ ଆସିଛି।
ତଦନ୍ତ ବେଳେ ଏକାଧିକ ଗୁରୁତର ଅନିୟମିତତା ଧରାପଡ଼ିଛି। ବିହନ ବିକ୍ରିର ଅର୍ଥକୁ ହିସାବରେ ଦର୍ଶାଇ ନ ଥିବା, ସରକାରୀ ଖାତାରୁ ବିକ୍ରି ରାଶି ଲୁଚାଇବା, ଡେ-ବୁକ୍ରେ ଜାଣିଶୁଣି କମ୍ କ୍ଲୋଜିଂ ବାଲାନ୍ସ ଲେଖିବା, ଜାଲ୍ ବ୍ୟାଙ୍କ ଜମା ଏଣ୍ଟ୍ରି କରି ଟଙ୍କା ହଡ଼ପକୁ ଲୁଚାଇବା ଏବଂ ସେଭିଂସ୍ ବ୍ୟାଙ୍କ ଖାତାରୁ ଅତ୍ୟଧିକ ଟଙ୍କା ଉଠାଇବା ଭଳି ଅଭିଯୋଗ ରହିଛି।
ଏହି ଘଟଣାରେ ସମ୍ବଲପୁର ଭିଜିଲାନ୍ସ ଥାନାରେ କେସ୍ ନଂ–୧୬/୨୦୨୬ ରୁଜୁ କରାଯାଇଛି। ଦୁର୍ନୀତି ନିବାରଣ ଆଇନର ବିଭିନ୍ନ ଧାରାରେ ମାମଲା ରୁଜୁ କରି ଚିନ୍ତାମଣି ମଲ୍ଲିକଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କୁ ବଲାଙ୍ଗିର ସ୍ପେଶାଲ୍ ଜଜ୍ (ଭିଜିଲାନ୍ସ)ଙ୍କ ଅଦାଲତକୁ ପଠାଯାଇଛି।