ଭୁବନେଶ୍ୱର: “ଅପରେସନ୍ ଅନ୍ୱେଷଣ”କୁ ମିଳିଛି ବଡ଼ ସଫଳତା । ମାତ୍ର ସପ୍ତାହକ ମଧ୍ୟରେ ୧୭ ରାଜ୍ୟରୁ ୧୦୧ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ସେଥିରେ ୫୪ ବାଳକ ଓ ୪୭ ବାଳିକା ରହିଛନ୍ତି । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମହିଳା ଓ ଶିଶୁ ବିରୋଧରେ ଅପରାଧ ଶାଖାର ଏଡିଜି ଏସ୍ ସାଇନି ଏହି ସୂଚନା ଦେଇଛନ୍ତି ।
ଗତ ୨୮ ଅଗଷ୍ଟରୁ ୮ ସେପ୍ଟେମ୍ବର ପର୍ଯ୍ୟନ୍ତ ମହିଳା ଓ ଶିଶୁ ବିକାଶ ବିଭାଗର ମିଳିତ ସହଯୋଗରେ ମହିଳା ଓ ଶିଶୁ ବିରୋଧରେ ଅପରାଧ ଶାଖା “ଅପରେସନ୍ ଅନ୍ୱେଷଣ” ଆରମ୍ଭ କରିଥିଲା । ଯାହାର ମୂଳ ଲକ୍ଷ୍ୟ ଥିଲା ପରିବାରଠାରୁ ଅଲଗା ହୋଇଯାଇଥିବା ଶିଶୁଙ୍କୁ ସୁରକ୍ଷିତ ଉଦ୍ଧାର କରିବା । ଏଥିରେ ମୋଟ ୧୭ଟି ଟିମ୍ ଦେଶର ୧୭ ରାଜ୍ୟରେ ଚଢ଼ଉ କରିଥିଲା । ଆନ୍ଧ୍ର ପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ଗୁଜରାଟ, ହରିୟାଣା, କର୍ଣ୍ଣାଟକ, କେରଳ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ନୂଆ ଦିଲ୍ଲୀ, ରାଜସ୍ଥାନ, ତାମିଲନାଡ଼ୁ, ତେଲେଙ୍ଗାନା, ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗରେ ବିଭିନ୍ନ ସ୍ଥାନରେ ଚଢ଼ଉ ହୋଇଥିଲା । ଫଳ ସ୍ୱରୂପ ୧୦୧ ଜଣ ପିଲାଙ୍କୁ ଉଦ୍ଧାର କରାଯାଇଛି । ସର୍ବାଧିକ ପଶ୍ଚିମବଙ୍ଗରୁ ୩୦, କର୍ଣ୍ଣାଟକରୁ ୧୧, ଝାଡ଼ଖଣ୍ଡରୁ ୧୦ ଓ ତାମିଲନାଡ଼ୁର ୧୦ରୁ ଠାବ କରାଯାଇଛି ।
ଏଥିରେ ଆହୁରି ସମ୍ବେଦନଶୀଳ ଘଟଣା ରହିଛି ଯେଉଁଠି ଏକ ନାବାଳିକାକୁ ତାର ୩ ମାସର ଶିଶୁ ସହିତ ଉଦ୍ଧାର କରାଯାଇଛି । ଉକ୍ତ ନାବାଳିକାଟି ଏକ ସଂସ୍ଥାରେ ୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ରହିଥିଲା ।
ଉଦ୍ଧାର ହୋଇଥିବା ପିଲାଙ୍କୁ ମଧ୍ୟରୁ ୪୬ ଜଣ ପୁଅ ଓ ୩୭ ଜଣ ଝିଅ ମୋଟ ୮୩ ଜଣ ଚାଇଲ୍ଡ କେୟାର ଇନଷ୍ଟିଚ୍ୟୁଟରୁ ଉଦ୍ଧାର ହୋଇଛନ୍ତି । ସେହିପରି ଅନ୍ୟ ୬ ଜଣ ପୁଅ ଓ ଗୋଟିଏ ଝିଅ ମୋଟ ୭ ଜଣ ପିଲା ଶ୍ରମିକଭାବେ କାମ କରୁଥିବାବେଳେ ଉଦ୍ଧାର ହୋଇଛନ୍ତି । ଏହା ରାଜ୍ୟରେ ନିଖୋଜ ଥିବା ୧୧ ଜଣ ପିଲାଙ୍କୁ ଯେଉଁଥିରେ ୨ ଜଣ ପୁଅ ଏବଂ ୯ ଜଣ ଝିଅ ରହିଛନ୍ତି, ସେମାନଙ୍କୁ ଉଦ୍ଧାର କରାଯାଇଛି । ନିଖୋଜ ନେଇ ଓଡ଼ିଶା ପୋଲିସ ନିକଟରେ ୧୧ଟି ମାମଲା ପଞ୍ଜିକୃତ ହୋଇଥିଲା । ଉଦ୍ଧାର ହୋଇଥିବା ସମସ୍ତ ପିଲାଙ୍କୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ପଶ୍ଚିମବଙ୍ଗରେ ପୂର୍ବାଞ୍ଚଳ ରେଞ୍ଜ ଡିଆଇଜି ପିନାକ ମିଶ୍ରଙ୍କ ନେତୃତ୍ୱରେ ଡିଏସପି ବାମଦେବ ନନ୍ଦ ଓ ତାଙ୍କ ଟିମ୍ ଖୋଳତାଡ଼ କରିଥିଲେ । ସେହିପରି ଦକ୍ଷିଣାଞ୍ଚଳ ଡିଏସପି ପ୍ରଶାନ୍ତ କୁମାର ପାତ୍ର କର୍ଣ୍ଣାଟକ, ଉତ୍ତରାଞ୍ଚଳ ରେଞ୍ଜ ଡିଏସପି ଜ୍ୟୋତ୍ସାରାଣୀ ବେହେରା ଝାଡ଼ଖଣ୍ଡ ଓ ଦକ୍ଷିଣାଞ୍ଚଳ ରେଞ୍ଜ ଡିଏସପି ଗିରିଜାନନ୍ଦନ ପଟ୍ଟନାୟକଙ୍କ ଟିମ୍ ତାମିଲନାଡ଼ୁର ନେତୃତ୍ୱ ନେଇଥିଲେ । ଏଥିରେ ମହିଳା ଓ ଶିଶୁ ବିକାଶ ବିଭାଗ ଆୟୁକ୍ତ ତଥା ସଚିବ ମୃଣାଳିନୀ ଦରସ୍ୱାଲ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।