ନୂଆଦିଲ୍ଲୀ: ଆଇଆରସିଟିସି ହୋଟେଲ୍ ଆବଣ୍ଟନ ଆର୍ଥିକ ହେରଫେର ମାମଲାରେ ଲାଲୁ ପରିବାରକୁ ବଡ଼ ଝଟକା ଲାଗିଛି ।ଆଇଆରସିଟି ମନି ଲଣ୍ଡ୍ରିଂ ମାମଲାରେ ଲାଲୁ ପ୍ରସାଦ ଯାଦବ, ତାଙ୍କ ପତ୍ନୀ ରାବିଡ଼ି ଦେବୀ ଏବଂ ପୁଅ ତେଜସ୍ୱୀ ଯାଦବଙ୍କ ସମେତ ମୋଟ ୯ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଛନ୍ତି ଦିଲ୍ଲୀ ରାଉଜ ଏଭିନ୍ୟୁ କୋର୍ଟ । ମାମଲାରେ ୭ ଜଣ ଅଭିଯୁକ୍ତଙ୍କୁ କୋର୍ଟ ମୁକ୍ତ କରିଛନ୍ତି ।
ଦିଲ୍ଲୀ ରାଉଜ ଏଭିନ୍ୟୁ କୋର୍ଟ ସ୍ୱତନ୍ତ୍ର ବିଚାରପତି ବିଶାଲ ଗୋଗନେ ମାମଲାର ଶୁଣାଣି କରି ଲାଲୁ ପ୍ରସାଦ ଯାଦବ, ପତ୍ନୀ ରାବିଡ଼ି ଦେବୀ, ପୁଅ ତେଜସ୍ୱୀ ଯାଦବ, ଲାଲୁଙ୍କ ଘନିଷ୍ଠ ପ୍ରେମ ଚାନ୍ଦ ଗୁପ୍ତା, ତାଙ୍କ ପତ୍ନୀ ଶରଲା ଗୁପ୍ତା, ସୁଜାତା ହୋଟେଲ୍ ନିର୍ଦ୍ଦେଶକ ବିନୟ କୋଚର, ଲାରା ପ୍ରୋଜେକ୍ଟସ ଓ ସୁଜାତା ହୋଟେଲ୍ସ ଅଭିଯୁକ୍ତ ଦର୍ଶାଇଛନ୍ତି । ଏମାନେ ମନି ଲଣ୍ଡ୍ରିଂ ମାମଲାରେ ସମ୍ପୃକ୍ତ ଥିବା ଅଦାଲତ ସନ୍ଦେହ କରିଛନ୍ତି । ଏମାନଙ୍କୁ ଏବେ ଏହି ମାମଲାରେ ନ୍ୟାୟିକ ଲଢ଼େଇର ସାମ୍ନା କରିବାକୁ ପଡ଼ିବ । ଆସନ୍ତା ଅକ୍ଟୋବର ୩ ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟପକ୍ଷେ ଲାଲୁଙ୍କ ଜ୍ୱାଇଁ ରାହୁଲ ଯାଦବ, ଗୌରବ ଗୁପ୍ତା, ନଥମଲ କାନକାରନିୟା, ବିଜୟ ତ୍ରିପାଠୀ, ଦେବକୀ ନନ୍ଦନ ତୁଲସ୍ୟାନ, ରାଜୀବ ରେଲନ ଏବଂ ଅଭିଷେକ ଫାଇନାନ୍ସ ଲିମିଟେଡ଼ଙ୍କୁ ଅଦାଲତ ଅଭିଯୁକ୍ତ ପାଇପାରିନାହାଁନ୍ତି ।
କ'ଣ ରହିଛି ମାମଲା ?
୨୦୦୪ରୁ ୨୦୦୯ ମସିହାରେ ୟୁପିଏ ସରକାରରେ ଲାଲୁ ପ୍ରସାଦ ଯାଦବ ରେଳ ମନ୍ତ୍ରୀ ଥିବାବେଳେ ଏହି ଆର୍ଥିକ ହେରଫେର ହୋଇଥିଲା । ଲାଲୁ ଯାଦବ ରେଳ ବିଭାଗ ଦ୍ୱାରା ପରିଚାଳିତ ହେଉଥିବା ରାଞ୍ଚିର ଏକ ହୋଟେଲ ଏବଂ ପୁରୀର ବିଏନଆର୍ ହୋଟେଲର ପରିଚାଳନା ଦ୍ୱାୟିତ୍ୱ ଏକ ଘରୋଇ ସଂସ୍ଥା ସୁଜାତା ହୋଟେଲ୍ସକୁ ଦେଇଥିଲେ । ଯାହା ବଦଳରେ ପାଟନାରେ କୋଟି କୋଟି ମୂଲ୍ୟର ଏକ ଜମିକୁ ଅତି କମ୍ ମୂଲ୍ୟରେ ଲାଲୁ ପରିବାର ସହିତ ଜଡ଼ିତ କମ୍ପାନୀ ଲାରା ପ୍ରୋଜେକ୍ଟସକୁ ହସ୍ତାନ୍ତର କରାଯାଇଥିଲା । ଏହି ମାମଲାରେ ପ୍ରଥମେ ସିବିଆଇ ଏବଂ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ କରୁଛି ।