ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ଛାଇଯାଇଛି ‘80s AI Photo Trend’। ସାଧାରଣ ସେଲ୍ଫିକୁ କୃତ୍ରିମ ବୁଦ୍ଧିମତା (AI) ସାହାଯ୍ୟରେ ୧୯୮୦ ଦଶକର ଭିଣ୍ଟେଜ୍ ଷ୍ଟୁଡିଓ ଫଟୋରେ ପରିଣତ କରୁଛନ୍ତି ୟୁଜର୍ସ। ପୁରୁଣା ପାରିବାରିକ ଆଲବମ୍ କିମ୍ବା ବଲିଉଡ୍ ଷ୍ଟାଇଲ୍ ଫଟୋଶୁଟ୍ ଭଳି ଦେଖାଯାଉଥିବା ଏହି ଫଟୋ ଏବେ ଇଣ୍ଟରନେଟର ନୂଆ କ୍ରେଜ୍ ପାଲଟିଛି।
ଏହି ଟ୍ରେଣ୍ଡ କେବଳ ଇନ୍ଫ୍ଲୁଏନ୍ସର କିମ୍ବା ସେଲିବ୍ରିଟିଙ୍କ ମଧ୍ୟରେ ସୀମିତ ରହିନାହିଁ। ଦେଶର ରାଜନେତାମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୂଷ ଗୋୟଲ ନିଜର AI ଜେନେରେଟେଡ୍ ୮୦ ଦଶକର ଫଟୋ ସେୟାର କରି “Vibing to the 80s trend” ବୋଲି କ୍ୟାପ୍ସନ୍ ଦେଇଛନ୍ତି।
ସେୟାର ହୋଇଥିବା ଫଟୋରେ ପିୟୂଷ ଗୋୟଲ ଧୂସର ରଙ୍ଗର ସୁଟ୍, ଧଳା ସାର୍ଟ ଓ ଏଭିଏଟର୍ ସନ୍ଗ୍ଲାସ୍ ପିନ୍ଧିଥିବା ବେଳେ ସେପିଆ ଟୋନ୍, ଫିଲ୍ମ ଗ୍ରେନ୍ ଓ ଫେଡେଡ୍ ଟେକ୍ସଚର୍ ତାହାକୁ ସମ୍ପୂର୍ଣ୍ଣ ରେଟ୍ରୋ ଲୁକ୍ ଦେଇଛି।
ଅନ୍ୟପଟେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ମଧ୍ୟ ନିଜର ରେଟ୍ରୋ ଷ୍ଟାଇଲ୍ ଫଟୋ ପୋଷ୍ଟ କରିଛନ୍ତି। ସନ୍ଗ୍ଲାସ୍, ବ୍ଲେଜର୍ ଓ କାର୍ ପାଖରେ ତାଙ୍କର ପୋଜ୍ ୧୯୮୦ ଦଶକର ଫିଲ୍ମି ଅନୁଭବ ଦେଉଛି। ମଜାଳିଆ ଢଙ୍ଗରେ ସେ ଲେଖିଛନ୍ତି, “ସମସ୍ତେ ୮୦ ଦଶକକୁ ଫେରୁଛନ୍ତି, ମୁଁ ମଧ୍ୟ ନଷ୍ଟାଲଜିଆରେ ସାମିଲ ହେଲି।”
AI ଫଟୋ ଏଡିଟିଂର ଏହି ଟ୍ରେଣ୍ଡ ଏବେ ଲକ୍ଷ ଲକ୍ଷ ଲୋକଙ୍କୁ ନିଜର ପୁରୁଣା ଯୁଗର କଳ୍ପିତ ରୂପ ଦେଖିବାର ସୁଯୋଗ ଦେଉଛି, ଯାହା ସୋସିଆଲ ମିଡିଆରେ ନୂଆ ନଷ୍ଟାଲଜିଆ ସୃଷ୍ଟି କରିଛି।