ଭୁବନେଶ୍ୱର: ଓଡ଼ିଶାରେ ପୁଣି ଲାଗି ରହିପାରେ ବର୍ଷାର ଝଡ଼। ଆସନ୍ତା ସେପ୍ଟେମ୍ବର ୧୧ ତାରିଖ ଆସପାସରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମ-ମଧ୍ୟ ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳରେ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର (RMC) ପୂର୍ବାନୁମାନ କରିଛି।
ବୁଧବାର ପାଇଁ କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି ହୋଇଛି। ଏହାସହ ଉତ୍ତର ଓ ଉପକୂଳ ଓଡ଼ିଶାର ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।
ପାଣିପାଗ ବିଭାଗ ଅନୁଯାୟୀ ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ସୁନ୍ଦରଗଡ଼ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହି ସବୁ ଅଞ୍ଚଳରେ ଘଣ୍ଟାପ୍ରତି ୩୦ରୁ ୪୦ କି.ମି. ବେଗରେ ଝଟକା ପବନ ମଧ୍ୟ ବହିବାର ସମ୍ଭାବନା ରହିଛି।
ଗୁରୁବାର ପାଇଁ ପାଣିପାଗ ବିଭାଗ ଆହୁରି କଡ଼ା ସତର୍କତା ଜାରି କରିଛି। ରାଜ୍ୟର ୨ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୨୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ପ୍ରବଳ ବର୍ଷା ସହ କେତେକ ସ୍ଥାନରେ ବଜ୍ରପାତ ଓ ଦମକା ପବନର ପ୍ରଭାବ ମଧ୍ୟ ଦେଖାଯାଇପାରେ।
ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ଅନାବଶ୍ୟକ ଯାତ୍ରା ଏଡ଼ାଇବା, ନଦୀ ଓ ଜଳାଶୟ ନିକଟକୁ ନଯିବା ଏବଂ ପାଣିପାଗ ବିଭାଗର ସତର୍କ ସୂଚନା ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।