ନୂଆଦିଲ୍ଲୀ: ଆସନ୍ତା ୧୪ ତାରିଖରେ ଧରାପୃଷ୍ଠକୁ ଆସିବେ ବିଘ୍ନରାଜ ଶ୍ରୀଗଣେଶ । ଗଣେଶ ଚତୁର୍ଥୀ ପାଇଁ ସାରା ଦେଶରେ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ପୂଜା ପେଣ୍ଡାଲ ଗୁଡ଼ିକ ମଧ୍ୟ ସଜେଇ ହେଲାଣି । ଏହି ପରିପ୍ରେକ୍ଷୀରେ ଆନ୍ଧ୍ର ପ୍ରଦେଶ ସରକାର ବଡ଼ ଘୋଷଣା କରିଛନ୍ତି । ମହାରାଷ୍ଟ୍ର ସରକାରଙ୍କ ପରେ ଆନ୍ଧ୍ର ସମସ୍ତ ଗଣେଶ ପୂଜା ପେଣ୍ଡାଲରେ ମାଗଣାରେ ବିଦ୍ୟୁତ ସେବା ଯୋଗାଇ ଦିଆଯିବା ନେଇ ରାଜ୍ୟ ଶିକ୍ଷା ମନ୍ତ୍ରୀ ନାରା ଲୋକେଶ ସୂଚନା ଦେଇଛନ୍ତି ।
ମନ୍ତ୍ରୀ ଟୁଇଟ୍ କରି ସୂଚନା ଦେଇଛନ୍ତି ଯେ ଗଣେଶ ଚତୁର୍ଥୀରେ ସମସ୍ତ ପୂଜା ପେଣ୍ଡାଲକୁ ମାଗଣା ବିଦ୍ୟୁତ ସେବା ଯୋଗାଇ ଦିଆଯିବ । ଏହି ସୁବିଧା ସମଗ୍ର ରାଜ୍ୟରେ ଲାଗୁ ହେବ । ଫଳରେ ପୂଜା କମିଟି ଗୁଡ଼ିକ ଅତିରିକ୍ତ ବିଦ୍ୟୁତ ଖର୍ଚ୍ଚରୁ ମୁକ୍ତି ପାଇବେ । ଗଣେଶ ପୂଜାର ମହତ୍ୱ ଏବଂ ଗୁରୁତ୍ୱ ଆହୁରି ବଢ଼ାଇବାକୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିବା ମନ୍ତ୍ରୀ କହିଛନ୍ତି ।
ସରକାରଙ୍କ ଘୋଷଣା ପରେ ପୂଜା କମିଟି ମହଲରେ ଖୁସିର ଲହରି ଖେଳି ଯାଇଛି । ବିଦ୍ୟୁତ ପାଇଁ ଅଧିକ ଖର୍ଚ୍ଚାନ୍ତରୁ ବର୍ତ୍ତି ଯିବେ ।
ଉଲ୍ଲେଖ ଯୋଗ୍ୟ, ଏହା ପୂର୍ବରୁ ମହାରାଷ୍ଟ୍ର ସରକାର ମଧ୍ୟ ସମାନ ଘୋଷଣା କରିଥିଲେ । ମହାରାଷ୍ଟ୍ରରେ ମଧ୍ୟ ବିଦ୍ୟୁତ ଶୁଳ୍କ ଛାଡ଼ କରାଯାଇଛି । ଏହା ସହିତ ମୁମ୍ବାଇରୁ କୋଙ୍କଣ ଏବଂ ପୁଣେରୁ ବେଙ୍ଗାଲୁରୁ ଯିବାକୁ ଥିବା ଯାତ୍ରୀଙ୍କ ପାଇଁ ଜାତୀୟ ରାଜପଥ ଉପରେ ଟୋଲ୍ ଟ୍ୟାକ୍ସ ଛାଡ଼ କରାଯାଇଛି । ସେପ୍ଟେମ୍ବର ୧୧ ରୁ ୨୭ ପର୍ଯ୍ୟନ୍ତ ବିନା ଟୋଲ୍ ଟ୍ୟାକ୍ସରେ ସମସ୍ତ ଯିବା ଆସିବା କରିପାରିବେ । ଏହା ଦ୍ୱାରା ଘରକୁ ଯାଉଥିବା ଲୋକେ ଅଯଥା ଖର୍ଚ୍ଚରୁ ରକ୍ଷା ପାଇବେ । ଏହା ସହିତ ଟୋଲ୍ ଗେଟରେ ମଧ୍ୟ ଭିଡ଼ ହ୍ରାସ ପାଇବ, ଯାହା ଦ୍ୱାରା ଜାତୀୟ ରାଜପଥ ଉପରେ ଟ୍ରାଫିକ୍ ସମସ୍ୟା ଉତ୍ପନ୍ନ ହେବ ନାହିଁ ।