ପାରାଦୀପ: ୧୭ ବର୍ଷ ବିତିଗଲେ ମଧ୍ୟ ପାରାଦୀପ ଉପକୂଳରେ ବୁଡ଼ିଯାଇଥିବା ମଙ୍ଗୋଲିଆ ପତାକାବାହୀ କାର୍ଗୋ ଜାହାଜ MV ବ୍ଲାକ୍ ରୋଜ୍ ଘଟଣା ଆଜି ବି ଅନେକ ଅନୁତ୍ତରିତ ପ୍ରଶ୍ନ ଛାଡ଼ି ଯାଇଛି। ସେପ୍ଟେମ୍ବର ୯, ୨୦୦୯ରେ ଲୁହାପଥର ବୋଝେଇ ଜାହାଜଟି ପାରାଦୀପ ବନ୍ଦର ଆଙ୍କରେଜ୍ ଅଞ୍ଚଳରେ ବୁଡ଼ିଯାଇଥିଲା। ଏହି ଦୁର୍ଘଟଣାରେ ଜାହାଜର ମୁଖ୍ୟ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଥିଲା।
ଘଟଣା ପରେ ଜାହାଜର ଦଲିଲ, ଲୁହାପଥର ପରିବହନ ଏବଂ କାର୍ଗୋ ସମ୍ପର୍କିତ ଅନିୟମିତତାକୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଥିଲା। ଏହା ପରେ ବ୍ଲାକ୍ ରୋଜ୍ ମାମଲା ଓଡ଼ିଶା ରାଜନୀତିର ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଥିଲା। ବିଧାନସଭାରେ ବିରୋଧୀ ଦଳ CBI ତଦନ୍ତ ଦାବି କରି କହିଥିଲେ ଯେ, ଜାହାଜର କାର୍ଗୋ ଏବଂ ଦଲିଲକୁ ନେଇ ହୋଇଥିବା ଅଭିଯୋଗର ନିରପେକ୍ଷ ତଦନ୍ତ ଆବଶ୍ୟକ।
ପ୍ରାୟ ଦୁଇ ଦଶନ୍ଧି ପରେ ମଧ୍ୟ ପ୍ରଶ୍ନ ଉଠୁଛି, ତଦନ୍ତ କେତେ ଦୂର ଗଲା, ସମସ୍ତ ଦାୟୀ ବ୍ୟକ୍ତିଙ୍କୁ ଚିହ୍ନଟ କରାଗଲା କି, ଏବଂ ଘଟଣାର ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିଲା କି?
ନିକଟରେ ବଙ୍ଗୋପସାଗରରେ MV Ocean Winner ବୁଡ଼ିବା ପରେ ବ୍ଲାକ୍ ରୋଜ୍ ଘଟଣା ପୁଣି ଚର୍ଚ୍ଚାକୁ ଫେରିଛି। ଦୁଇଟି ଘଟଣାକୁ ନେଇ ସାମୁଦ୍ରିକ ସୁରକ୍ଷା, ଜାହାଜର ଦଲିଲ ଯାଞ୍ଚ ଏବଂ କାର୍ଗୋ ପରିଚାଳନାକୁ ନେଇ ନୂଆ ଚିନ୍ତା ପ୍ରକାଶ ପାଇଛି।
ପୂର୍ବତନ କାର୍ଗୋ ଜାହାଜ କ୍ୟାପ୍ଟେନ୍ ପ୍ରେମାନନ୍ଦ ରାଉତଙ୍କ କହିବା ଅନୁଯାୟୀ, ଉଭୟ ଘଟଣାରେ କାର୍ଗୋ ସରିଯିବା ଫଳରେ ଜାହାଜର ସନ୍ତୁଳନ ନଷ୍ଟ ହୋଇଥିବା ସମ୍ଭାବନା ରହିଛି। ବ୍ଲାକ୍ ରୋଜ୍ ମଧ୍ୟ ପାରାଦୀପର ଦକ୍ଷିଣ ଉପକୂଳରେ ପ୍ରାୟ ସମାନ ପରିସ୍ଥିତିରେ ବୁଡ଼ିଥିଲା।