ଭୁବନେଶ୍ୱର: ଦୁଇ ଦିନ ଧରି ନିଖୋଜ ଥିବା ଅଟୋ ଡ୍ରାଇଭର ସଞ୍ଜୟ ସ୍ୱାଇଁଙ୍କ ମୃତଦେହ ବୁଧବାର କୁଆଖାଇ ନଦୀରୁ ଉଦ୍ଧାର କରାଯାଇଛି। ବାଙ୍କୁଆଳ ନିକଟରେ ଓଡ୍ରାଫ ଓ ଅଗ୍ନିଶମ ବାହିନୀର ମିଳିତ ଖୋଜାଖୋଜି ଅଭିଯାନ ବେଳେ ମୃତଦେହ ଠାବ କରାଯାଇଥିଲା। ମୃତକ ସଞ୍ଜୟ ସ୍ୱାଇଁ ଓଲ୍ଡ ଟାଉନ ହରଚଣ୍ଡୀ ସାହିର ବାସିନ୍ଦା ବୋଲି ଜଣାପଡ଼ିଛି।
ସୋମବାର ରାତିରୁ ସେ ନିଖୋଜ ଥିବାବେଳେ ପରିବାର ପକ୍ଷରୁ ଚିନ୍ତା ପ୍ରକାଶ କରାଯାଇଥିଲା। ଘଟଣା ପରେ ବାଲିଅନ୍ତା ପୋଲିସ ଓ ଅଗ୍ନିଶମ ବାହିନୀ ନଦୀରେ ବୋଟ୍ ସହାୟତାରେ ବ୍ୟାପକ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।
ବିଶେଷ କଥା ହେଲା, ଦୁଇ ଦିନ ପୂର୍ବରୁ ସଞ୍ଜୟଙ୍କ ପୁତୁରାଙ୍କ ମୃତଦେହ ଯେଉଁ ଅଞ୍ଚଳରୁ ମିଳିଥିଲା, ସେହି ସ୍ଥାନ ନିକଟରୁ ହିଁ ସଞ୍ଜୟଙ୍କ ମୃତଦେହ ଉଦ୍ଧାର ହୋଇଛି।
ପ୍ରାଥମିକ ସୂଚନା ଅନୁଯାୟୀ, ସଞ୍ଜୟ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ପାରିବାରିକ ବିବାଦ ହୋଇଥିବା କଥା ସାମ୍ନାକୁ ଆସିଛି। ତେବେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବାବେଳେ ପୋଲିସ ସମସ୍ତ ଦିଗରୁ ତଦନ୍ତ ଜାରି ରଖିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବାବେଳେ ବାଲିଅନ୍ତା ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।