ଭଦ୍ରକ: ପାରିବାରିକ କଳହ ଓ ଜମି ବିବାଦ ନେଇ ଭଦ୍ରକରେ ଘଟିଛି ଛାତିଥରା ଘଟଣା। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଚୁନିଡା ଗାଁରେ ବାପାଙ୍କ ଛୁରୀ ଆକ୍ରମଣରେ ପୁଅର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ବିକାଶ ସାହୁ, ଅଭିଯୁକ୍ତ ବାପା ରବି ସାହୁଙ୍କୁ ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ବୁଧବାର ସକାଳେ ବାପା-ପୁଅଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏହାପରେ ରବି ସାହୁ ପ୍ରଥମେ ବୋହୂଙ୍କୁ ଘର ଭିତରେ ବନ୍ଦ କରିଦେଇ ବିକାଶଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଆହତ ଅବସ୍ଥାରେ ବିକାଶଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣାକୁ ନେଇ ବିକାଶଙ୍କ ପତ୍ନୀ ସ୍ମୃତି ସାହୁ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ତାଙ୍କ କହିବା ଅନୁଯାୟୀ, ଶ୍ୱଶୁର ତାଙ୍କୁ ଓ ସ୍ୱାମୀଙ୍କୁ ସେହି ଘରେ ରହିବାକୁ ଦେବାକୁ ଚାହୁଁନଥିଲେ। ଏନେଇ ପୂର୍ବରୁ ଥାନାରେ ମଧ୍ୟ ବିବାଦ ପହଞ୍ଚିଥିଲା। ସକାଳେ ବିକାଶ କଥା ହେବାକୁ ଯିବାବେଳେ ରବି ସାହୁ ଛୁରୀ ଧରି ବସିଥିଲେ ଏବଂ କିଛି କହିବା ପୂର୍ବରୁ ସିଧାସଳଖ ଆକ୍ରମଣ କରିଥିଲେ। ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ସ୍ମୃତିଙ୍କ ହାତରେ ମଧ୍ୟ ଆଘାତ ଲାଗିଥିବା ସେ କହିଛନ୍ତି।
ବିକାଶଙ୍କ ମୃତ୍ୟୁ ପରେ ଚୁନିଡା ଗାଁରେ ଉତ୍ତେଜନା ଦେଖାଦେଇଥିଲା। ଶହ ଶହ ଗ୍ରାମବାସୀ ଭଦ୍ରକ ଜିଲ୍ଲା ହସ୍ପିଟାଲ ପରିସରରେ ଭିଡ଼ ଜମାଇଥିବାରୁ ପରିସ୍ଥିତି ତୀବ୍ର ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଥିବାବେଳେ ଜମି ବିବାଦ, ପାରିବାରିକ କଳହ ଓ ହତ୍ୟାର ପ୍ରକୃତ କାରଣକୁ ନେଇ ତଦନ୍ତ ଜାରି ରଖିଛି।