ଭୁବନେଶ୍ୱର : ସ୍କ୍ରବ୍ ଟାଇଫସ୍ ଚିହ୍ନଟ ସ୍ଥାନକୁ ଯିବେ ଡାକ୍ତରୀ ଟିମ୍ ।ସ୍କ୍ରବ୍ ଟାଇଫସ୍ଚିହ୍ନଟକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ଦେଖାଦେଇଛି। ଯେଉଁ ସ୍ଥାନରେ ସ୍କ୍ରବ୍ ଟାଇଫସ୍ ଚିହ୍ନଟ ହେଉଛି, ସେଠାକୁ ଡାକ୍ତରୀ ଟିମ୍ ଯିବେ। ଏନେଇ ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।
ସ୍କ୍ରବ୍ ଟାଇଫସ୍ର ଚିକିତ୍ସା ଓ ନିୟନ୍ତ୍ରଣ ପାଇଁ ଗାଇଡ୍ଲାଇନ୍ ପ୍ରସ୍ତୁତ ହୋଇଛି। ରୋଗୀ ଚିହ୍ନଟ, ଚିକିତ୍ସା, ପ୍ରତିଷେଧକମୂଳକ ପଦକ୍ଷେପ ନେଇ ଗାଇଡଲାଇନ। ସ୍କ୍ରବ୍ ଟାଇଫସ୍ ଯେପରି ଅନ୍ୟ ଅଞ୍ଚଳକୁ ନ ବ୍ୟାପେ, ସେଥିପାଇଁ ପଦକ୍ଷେପ ନିଆଯିବ। ରୋଗ ଚିହ୍ନଟ ହେଉଥିବା ଅଞ୍ଚଳରେ ମଧ୍ଯ ସଚେତନତା ଓ ନିୟନ୍ତ୍ରଣ ପଦକ୍ଷେପ ନେବୁ।
ସୂଚନାଯୋଗ୍ୟ ରାଜ୍ଯର ଅନୁଗୋଳ ପାଳଲହଡ଼ାରେ ସ୍କ୍ରବ୍ ଟାଇଫସ୍କୁ ନେଇ ଚିନ୍ତା ବଢ଼ିଛି । ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଏହି ରୋଗ ବ୍ୟାପିବାରେ ଲାଗିଥିବା ବେଳେ ଆଉ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ଅଞ୍ଚଳବାସୀ ଚିନ୍ତା ପ୍ରକଟ କରିଛନ୍ତି । ମୃତକ ଜଣକ ହେଉଛନ୍ତି ରଜଡଙ୍ଗ ଗାଁର ଉଷା ନାଏକ । ଏହାକୁ ମିଶାଇ ପାଳଲହଡ଼ା ଅଞ୍ଚଳରେ ସ୍କ୍ରବ୍ ଟାଇଫସ୍ରେ ମୃତ୍ୟୁସଂଖ୍ୟା ୩ରେ ପହଞ୍ଚିଛି । ରୋଗ ବ୍ୟାପୁ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଛନକା ପଶିଛି । ତେବେ ଗାଁରେ ଡାକ୍ତରୀ ଟିମ୍ ପହଞ୍ଚିନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି। ତୁରନ୍ତ ଡାକ୍ତରୀ ଟିମ୍ ପଠାଇ ଗାଁରେ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।