ଭୁବନେଶ୍ୱର: ରାଜଧାନୀରେ ଏକ ବଡ଼ ସାଇବର ମ୍ୟୁଲ୍ ଆକାଉଣ୍ଟ ରାକେଟ୍ର ପର୍ଦ୍ଦାଫାସ କରିଛି ଭୁବନେଶ୍ୱର ସାଇବର ଥାନା ପୁଲିସ। ଏହି ମାମଲାରେ ଏକ ଘରୋଇ ବ୍ୟାଙ୍କର ଫିଲ୍ଡ ଏଜେଣ୍ଟଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ସାଇବର ଠକଙ୍କ ପାଇଁ ବ୍ୟାଙ୍କ ଆକାଉଣ୍ଟ ଯୋଗାଇ କୋଟି କୋଟି ଟଙ୍କାର ଠକେଇ ଟଙ୍କା ସ୍ଥାନାନ୍ତର କରୁଥିବା ଅଭିଯୋଗ ରହିଛି।
ପୁଲିସ ସୂଚନା ଅନୁସାରେ, “ପିପି ମ୍ୟାନପାୱାର ସପ୍ଲାଇ ଆଣ୍ଡ ହସ୍ପିଟାଲିଟି ସର୍ଭିସେସ୍” ନାମରେ ଏକ ନକଲି କମ୍ପାନୀ ଖୋଲାଯାଇଥିଲା। ମ୍ୟାନପାୱାର ଓ ହସ୍ପିଟାଲିଟି ସେବା ଦେବାର ଆଳ ଦେଖାଇ ବିଭିନ୍ନ ବ୍ୟାଙ୍କରେ ଚଳିତ ଖାତା ଖୋଲାଯାଇଥିଲା। ପରେ ସେହି ଆକାଉଣ୍ଟଗୁଡ଼ିକୁ ଦିଲ୍ଲୀ, କୋଲକାତା ସମେତ ଦେଶର ବିଭିନ୍ନ ସ୍ଥାନର ସାଇବର ଠକମାନଙ୍କୁ ବ୍ୟବହାର ପାଇଁ ଦିଆଯାଉଥିଲା।
ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଜିତେନ୍ଦ୍ର କୁମାର ଖୁଣ୍ଟିଆ (ବ୍ୟାଙ୍କ ଫିଲ୍ଡ ଏଜେଣ୍ଟ), ରାଜେଶ କୁମାର ଜେନା (ରଙ୍ଗମିସ୍ତ୍ରୀ) ଓ ପୁରୁଷୋତ୍ତମ ବେହେରା (ଟ୍ୟାକ୍ସି ଚାଳକ)। ତେବେ ଏହି ଚକ୍ରର ମୁଖ୍ୟ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ବେହେରା ଫେରାର ରହିଛନ୍ତି। ସେ ଅନ୍ୟ ଏକ ବ୍ୟାଙ୍କର କର୍ମଚାରୀ ବୋଲି ପୁଲିସ କହିଛି।
ତଦନ୍ତରୁ ଜଣାପଡ଼ିଛି ଯେ, ରାଜେଶ ଓ ପୁରୁଷୋତ୍ତମଙ୍କୁ ଅଧିକ ଟଙ୍କାର ଲୋଭ ଦେଖାଇ କମ୍ପାନୀର ଯୁଗ୍ମ ନିର୍ଦ୍ଦେଶକ କରାଯାଇଥିଲା। କମ୍ପାନୀ ନାମରେ ପ୍ରାୟ ୨୫ଟି ମ୍ୟୁଲ୍ କରେଣ୍ଟ ଆକାଉଣ୍ଟ ଖୋଲାଯାଇଥିଲା ଏବଂ ସେଥିରେ ପ୍ରାୟ ୩୦ରୁ ୩୫ ଲକ୍ଷ ଟଙ୍କାର ସନ୍ଦେହଜନକ କାରବାର ହୋଇଥିବା ପ୍ରାଥମିକ ତଦନ୍ତରେ ସାମ୍ନାକୁ ଆସିଛି।
ଅଭିଯୁକ୍ତଙ୍କ ନିକଟରୁ ବ୍ୟାଙ୍କ ପାସ୍ବୁକ୍, ସ୍ୱାଇପ୍ ମେସିନ୍, କମ୍ପାନୀ ସିଲ୍, ପ୍ରିଣ୍ଟର ଓ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ କରାଯାଇଛି। ଏହି ରାକେଟ୍ରେ ଆଉ କୌଣସି ବ୍ୟାଙ୍କ କର୍ମଚାରୀ ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ସାଇବର ପୁଲିସ ତଦନ୍ତ ଜାରି ରଖିଛି।