ବାଲେଶ୍ୱର: ଭୋଗରାଇ ବ୍ଲକ ବିଚିତ୍ରପୁର ଜଙ୍ଗଲରେ ୫ଟି ଓରାଙ୍ଗଉଟାନ ଠାବ ହୋଇଛି । ବିରଳ ପ୍ରଜାତିର ଜୀବ ଜଙ୍ଗଲରେ ଦେଖାଯିବା ପରେ ସ୍ଥାନୀୟ ଅଞ୍ଚଳରେ କୌତୁହଳ ସୃଷ୍ଟି ହୋଇଛି । ଖବର ପାଇ ବନ ବିଭାଗ ଟିମ୍ ପହଁଚି ସମସ୍ତ ଓରାଙ୍ଗଉଟାନକୁ ଉଦ୍ଧାର କରିବା ସହିତ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ପଶୁ ଚିକିତ୍ସାଳୟରେ ଭର୍ତ୍ତି କରିଛି ।
ବିଚିତ୍ରପୁର ଜଙ୍ଗଲରେ ସବୁଦିନ ଭଳି କିଛି ସ୍ଥାନୀୟ ଲୋକେ ନିଜ କାମରେ ଆସୁଥିବାବେଳେ ଜଙ୍ଗଲ ଭିତରେ ଏକ ବିରଳ ପ୍ରଜାତିର ପଶୁଙ୍କୁ ଦେଖିଥିଲେ । ଗଛ ଓ ଜଙ୍ଗଲ ମଧ୍ୟରେ ଏମାନଙ୍କ ଗତିବିଧି ଦେଖି ସ୍ଥାନୀୟ ଲୋକେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ଏମାନେ ଓରାଙ୍ଗଉଟାନ ବୋଲି ଚର୍ଚ୍ଚା ହେବା ପରେ ଘଟଣାଟି ଅଧିକ ରୋଚକ ହୋଇଥିଲା । ଖବର ଚାରିଆଡ଼େ ପ୍ରଚାର ହେବା ପରେ ବିଚିତ୍ରପୁର ଜଙ୍ଗଲ ନିକଟରେ ଲୋକଙ୍କ ଭିଡ଼ ଜମିଥିଲା। ଏଭଳି ଜୀବକୁ ଆଗରୁ କେବେ ଦେଖିନଥିବା ଲୋକେ ଦୂରରୁ ଠିଆ ହୋଇ ଏମାନଙ୍କୁ ଦେଖିବାକୁ ଚେଷ୍ଟା କରିଥିଲେ ।
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବନ ବିଭାଗର କର୍ମଚାରୀମାନେ ବିଚିତ୍ରପୁର ଜଙ୍ଗଲରେ ପହଞ୍ଚିଥିଲେ। ଜୀବଗୁଡ଼ିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ଆରମ୍ଭ ହୋଇଥିଲା ପ୍ରକ୍ରିୟା। ପରେ ୫ଟି ଜୀବକୁ ଉଦ୍ଧାର କରାଯାଇ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ଲାଗି ପଶୁ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ଘଟଣାର ସବୁଠାରୁ ବଡ଼ ରହସ୍ୟ ହେଉଛି, ଏକାବେଳେ ୫ଟି ଓରାଙ୍ଗଉଟାନ ଆସିଲେ କେଉଁଠୁ। ଓରାଙ୍ଗଉଟାନ ସାଧାରଣତଃ ଭାରତୀୟ ଜଙ୍ଗଲର ସ୍ୱାଭାବିକ ପ୍ରଜାତି ନୁହେଁ । ତେଣୁ ବିଚିତ୍ରପୁର ଭଳି ଏକ ଗ୍ରାମାଞ୍ଚଳର ଜଙ୍ଗଲରେ ଏକାଥରେ ୫ଟି ଏଭଳି ଜୀବ ମିଳିବା ଘଟଣାକୁ ନେଇ ସ୍ୱାଭାବିକ ଭାବେ ଅନେକ ପ୍ରଶ୍ନ ଉଠିଛି । ଏହି ଜୀବଗୁଡ଼ିକର ସୁରକ୍ଷାକୁ ନେଇ ମଧ୍ୟ ବନ ବିଭାଗ ସତର୍କତା ଅବଲମ୍ବନ କରିଛି । ଲୋକଙ୍କ ଭିଡ଼ ଯୋଗୁଁ ଜୀବଗୁଡ଼ିକ ଯେପରି ଭୟଭୀତ ନହୁଅନ୍ତି, ସେଥିପ୍ରତି ମଧ୍ୟ ନଜର ରଖାଯାଇଛି। ଜୀବଗୁଡ଼ିକର ଶାରୀରିକ ସ୍ଥିତି, ପ୍ରଜାତି ଏବଂ ଉତ୍ପତ୍ତି ସମ୍ପର୍କରେ ଯାଞ୍ଚ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିପାରେ।