ବାଲେଶ୍ୱର: ଖନ୍ତାପଡ଼ା ଥାନା ଅନ୍ତର୍ଗତ ସେରଗଡ଼ରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ରୀନିବାସରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଛି । ମୃତ ଛାତ୍ରୀ ହେଲେ ସୋର ବ୍ଲକ ମଙ୍ଗଳପୁର ଅଞ୍ଚଳର ସୀତାରାମ ରାଉତଙ୍କ ଝିଅ ଭାଗ୍ୟଶ୍ରୀ ରାଉତ । ସେ କମ୍ପୁଟର୍ ସାଇନ୍ସ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ ।
ଭାଇସ୍ ପ୍ରିନିସିପାଲ ଜ୍ୟୋତି ରଞ୍ଜନ ରାଉତଙ୍କ ସୂଚନା ଅନୁସାରେ, ଗତକାଲି ଭାଗ୍ୟଶ୍ରୀ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନ ଥିବା ଦର୍ଶାଇ କଲେଜ ଯାଇନଥିଲେ । ସେ ଦିନ ତମାମ ରୁମରେ ରହିଥିଲେ । ସନ୍ଧ୍ୟାରେ ଉପସ୍ଥାପନା ସମୟରେ ସେ ଅନୁପସ୍ଥିତ ଥିବା ଜଣାପଡ଼ିଥିଲା । ଏହା ପରେ ହଷ୍ଟେଲ ୱାର୍ଡେନ୍ ତାଙ୍କ ରୁମ୍ କବାଟ ବାଡ଼େଇଥିଲେ । ମାତ୍ର ଭିତରୁ କବାଟ ବନ୍ଦ ଥିବାବେଳେ କେହି ଖୋଲି ନ ଥିଲେ । ଏହା ପରେ ୱାର୍ଡେନ୍ ତୁରନ୍ତ କଲେଜ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ପରେ ପୋଲିସକୁ ସୂଚନା ଦିଆଯାଇଥିଲା । ପୋଲିସ ରୁମ୍ କବାଟ ଭାଙ୍ଗି ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଥିଲା ।
ଏ ନେଇ ତାଙ୍କ ପରିବାର ବର୍ଗକୁ ସୂଚନା ଦିଆଯାଇଛି । ପ୍ରାଥମିକ ଯାଞ୍ଚରୁ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି । ସେ କାହିଁକି ଏପରି ଚରମ ନିଷ୍ପତ୍ତି ନେଲେ ତାହା ଜଣାପଡ଼ିନଥିବାବେଳେ ପୋଲିସ ମୃତ ଦେହକୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇ ତଦନ୍ତ ଜାରି ରଖିଛି । ସେପେଟ ଝିଅର ମୃତ୍ୟୁ ପରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ।