କଟକ: ଓଡ଼ିଶା ମୋଟର ଭେହିକଲ୍ ବିଭାଗର କନଷ୍ଟେବଳ ଆଶୁତୋଷ ମୃଦଙ୍ଗିଆଙ୍କ ମୃତ୍ୟୁ ମାମଲାର ତଦନ୍ତକୁ ନେଇ ଉଚ୍ଚ ଅଦାଲତ ଅସନ୍ତୋଷ ପ୍ରକାଶ କରିଛନ୍ତି । ବ୍ରହ୍ମପୁର ପୋଲିସ ତଦନ୍ତରେ କ୍ଷୋଭ ପ୍ରକାଶ କରି କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ହସ୍ତାନ୍ତର ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଣିକି ଆଶୁତୋଷ ମୃଦଙ୍ଗିଆଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ହସ୍ତାନ୍ତର ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ମୃତ ଆଶୁତୋଷ ମୃଦଙ୍ଗିଆଙ୍କ ଭଉଣୀ ବ୍ରହ୍ମପୁର ପୋଲିସ ତଦନ୍ତରେ ଅସନ୍ତୁଷ୍ଟ ହୋଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଭଉଣୀଙ୍କ ଅଭିଯୋଗ ଅନୁସାରେ ଚିକିତ୍ସାଧୀନ ଅବସ୍ଥାରେ ଆଶୁତୋଷଙ୍କର ଦୁଇ ଦୁଇ ଥର ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ ହୋଇଥିଲା । ପତ୍ନୀ ସନ୍ଧ୍ୟା ଓ ଶଳା ମିଶି ତାଙ୍କୁ ହତ୍ୟା କରିଥିବା ସେ ବୟାନରେ କହିଥିଲେ । କିନ୍ତୁ ଆଶୁତୋଷଙ୍କ ମୃତ୍ୟୁକୁ ଅଢ଼େଇ ମାସ ବିତି ଯାଇଥିଲେ ସୁଦ୍ଧା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଆଶୁତୋଷଙ୍କ ପତ୍ନୀ ସନ୍ଧ୍ୟା ପୋଲିସ ବିଭାଗରେ କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିବାରୁ ତାଙ୍କ ପ୍ରତି ପୋଲିସ ଅହେତୁକ ଅନୁକମ୍ପା ଦେଖାଇଥିବା ମୃତ କନେଷ୍ଟବଳଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଯାହାର ଶୁଣାଣି କରି ହାଇକୋର୍ଟ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ଜୁନ ମାସ ୫ ତାରିଖରେ କନଷ୍ଟେବଳ ଆଶୁତୋଷ ମୃଦଙ୍ଗିଆଙ୍କ ନିଜ ସ୍ତ୍ରୀଙ୍କୁ ଭେଟିବା ପାଇଁ ତାଙ୍କ ସରକାରୀ ବାସଭବନକୁ ଯାଇଥିଲେ ପୋଡ଼ି ହୋଇଯାଇଥିଲେ । ଏହାପରେ ତାଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ପ୍ରଥମେ ବ୍ରହ୍ମପୁର ଏମକେସିଜି ମେଡିକାଲ ଓ ପରେ ଭୁବନେଶ୍ୱର ଏମସକୁ ସ୍ଥାନାନ୍ତର କରାଯାଇଥିଲା । ଜୁନ ୧୫ ତାରିଖରେ ଏମସରେ ଚିକିତ୍ସାଧୀନ ଅବସ୍ଥାରେ ଆଶୁତୋଷଙ୍କ ମୃତ୍ୟୁ ହୋଇଥିଲା ।
ଆଶୁତୋଷଙ୍କର ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଥର ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ କରାଯାଇଥିଲା । ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଆଶୁତୋଷ ତାଙ୍କ ସ୍ତ୍ରୀ ଓ ଶଳାଙ୍କ ଉପରେ ଅଭିଯୋଗ ଆଣିଥିଲେ । ଉଭୟ ମିଶି ଷଡ଼ଯନ୍ତ୍ର କରି ତାଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା କରିବାକୁ ଉଦ୍ୟମ କରିଥିବା ସେ କହିଥିଲେ । ଆଶୁତୋଷଙ୍କୁ ନ୍ୟାୟ ଦାବିରେ ପରିବାର ଲୋକ ଓ ସ୍ଥାନୀୟ ବାସିନ୍ଦା ଧାରଣା ଦେଇଥିଲେ । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବାରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆଶୁତୋଷଙ୍କ ଭଉଣୀ।