ଭୁବନେଶ୍ୱର: ଓଡ଼ିଶାର ସମ୍ପ୍ରତିକ ବନ୍ୟାରେ ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ଆଗକୁ ଆସିଛି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI)। ବ୍ୟାଙ୍କର ଭୁବନେଶ୍ୱର ସର୍କଲ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି (CMRF) କୁ ୧ କୋଟି ୩୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।ଏସ୍ବିଆଇ ଭୁବନେଶ୍ୱର ସର୍କଲର ମୁଖ୍ୟ ମହାପ୍ରବନ୍ଧକ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏହି ରାଶିର ଚେକ୍ ପ୍ରଦାନ କରିଥିଲେ। ବନ୍ୟା ପୀଡ଼ିତଙ୍କ ଉଦ୍ଧାର, ରିଲିଫ୍ ଓ ପୁନର୍ବାସ କାର୍ଯ୍ୟରେ ଏହି ଅର୍ଥ ବ୍ୟବହାର କରାଯିବ।
ସୂଚନା ଅନୁଯାୟୀ, ଏହି ଆର୍ଥିକ ସହଯୋଗ SBI ଭୁବନେଶ୍ୱର ସର୍କଲର କର୍ମଚାରୀମାନଙ୍କ ସ୍ୱେଚ୍ଛାକୃତ ଅବଦାନରେ ସଂଗୃହୀତ ହୋଇଛି। ବନ୍ୟା ବିପର୍ଯ୍ୟୟ ସମୟରେ ପୀଡ଼ିତ ପରିବାରଙ୍କ ପାଖରେ ଛିଡ଼ା ହେବା ଉଦ୍ଦେଶ୍ୟରେ ବ୍ୟାଙ୍କର ଏହି ପଦକ୍ଷେପକୁ ବେଶ ପ୍ରଶଂସା କରାଯାଉଛି।
ଚେକ୍ ପ୍ରଦାନ ସମୟରେ ମୁଖ୍ୟମନ୍ତ୍ରୀ ଓ SBI ପ୍ରତିନିଧିମାନଙ୍କ ମଧ୍ୟରେ ରାଜ୍ୟର ବିକାଶମୂଳକ କାର୍ଯ୍ୟକ୍ରମକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା। ଓଡ଼ିଶାର ବିକାଶ ଭିଜନ୍ ସହ ସମନ୍ୱୟ ରଖି ବ୍ୟାଙ୍କ କିଭଳି ଆଗାମୀ ଦିନରେ ସହଯୋଗ କରିପାରିବ, ସେନେଇ ଉଭୟ ପକ୍ଷ ମତ ବିନିମୟ କରିଥିଲେ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା ପୀଡ଼ିତଙ୍କ ପାଇଁ SBIର ଏହି ମହତ୍ତ୍ୱପୂର୍ଣ୍ଣ ଅବଦାନକୁ ସ୍ୱାଗତ କରିବା ସହ ବ୍ୟାଙ୍କର ସାମାଜିକ ଦାୟିତ୍ୱବୋଧକୁ ପ୍ରଶଂସା କରିଛନ୍ତି।