ଭୁବନେଶ୍ୱର: ଭୋଗରାଇରୁ ୫ ଓରାଙ୍ଗଉଟାନ ମିଳିବା ଘଟଣାରେ ହେବ ତଦନ୍ତ ଏହି ଘଟଣାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ପ୍ରତିକ୍ରିୟା ଦେଇଛନ୍ତି । ଓରାଙ୍ଗଉଟାନ କେଉଁଠୁ ଆସିଲେ ଏନେଇ ୱାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ (WCCB) ତଦନ୍ତ କରିବ ବୋଲି ମନ୍ତ୍ରୀ କହିଛନ୍ତି ।
ମନ୍ତ୍ରୀ କହିଛନ୍ତି, ଏହା ପଛରେ ଅନ୍ତର୍ଜାତୀୟ ମାଫିଆ ଚାଲାଣ କରୁଥାଇପାରେ, ତେଣୁ ଏହି ମାମଲାରେ ତଦନ୍ତ କରାଯିବ। କାରଣ ଏହି ପ୍ରଜାତିର ଜୀବ ଭାରତରେ ନାହାନ୍ତି କି ଓଡ଼ିଶାରେ ନାହାନ୍ତି। ଏନେଇ ନିଜେ ପିସିଏଫ (PCCF) ମଧ୍ୟ ମନିଟରିଂ କରୁଛନ୍ତି। ବଜାରରେ ଗୋଟେ ଓରାଙ୍ଗଉଟାନର ଦାମ୍ ୨୫ ଲକ୍ଷ ଟଙ୍କା। ସେମାନଙ୍କର ବୟସ ବର୍ଷେରୁ ଦୁଇ ବର୍ଷ ଭିତରେ ହେବ। ସେମାନଙ୍କୁ ନେଇ ରିସର୍ଚ୍ଚ କରାଯିବ । ଚେକ୍ ଦେବା ପାଇଁ ଏୟାରପୋର୍ଟ ଓ ରେଲୱେ ସହ କଥାବାର୍ତ୍ତା ମଧ୍ୟ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ।
ସେହିପରି ଓରାଙ୍ଗଉଟାନ ଠାବ ପଛରେ ଇଣ୍ଟରନ୍ୟାସନାଲ୍ ସ୍ମଗଲିଂ ସନ୍ଦେହ ହେଉଛି ବୋଲି ପିସିସିଏଫ୍ ପ୍ରେମ୍ ଝା କହିଛନ୍ତି। ସେ କହିଛନ୍ତି
ବନ ବିଭାଗ ତଦନ୍ତ କରିବ, ପୋଲିସକୁ ମଧ୍ୟ ତଦନ୍ତ ପାଇଁ କୁହାଯାଇଛି। ଦେଶର ଦୁଇ ତିନୋଟି ସ୍ଥାନରେ କ୍ବଚିତ ଦେଖାଯାନ୍ତି। ଓଡ଼ିଶାରେ ଓରାଙ୍ଗଉଟାନ କେବେ ଦେଖାଯିବାର ନଜିର ନାହିଁ। ନନ୍ଦନକାନନରୁ ଗୋଟିଏ ଟିମ୍ ଭୋଗରାଇ ବାହାରି ସାରିଛି। ଉଦ୍ଧାର ୫ ଓରାଙ୍ଗଉଟାନଙ୍କୁ ନନ୍ଦନକାନନରେ କ୍ବାରେଣ୍ଟାଇନ୍ରେ ରଖାଯିବ।
ସୂଚନା ଅନୁଯାୟୀ ଆଜି ସକାଳେ ଉଦୟପୁର ବନବିଭାଗର ଏକ ଟିମ୍ ଭୋଗରାଇ ରଣକୋଠା ଅଞ୍ଚଳରେ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ଜଙ୍ଗଲରେ ୫ଟି ଓରାଙ୍ଗଉଟାନକୁ ଦେଖି ବନ କର୍ମଚାରୀମାନେ ଉପରିସ୍ଥ ଅଧିକାରୀଙ୍କୁ ଖବର ଦେଇଥିଲେ। ପରେ ବନବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ସେମାନଙ୍କୁ ଠାବ କରାଯାଇଥିଲା। ଭାରତୀୟ ଜଙ୍ଗଲରେ ସାଧାରଣତଃ ଓରାଙ୍ଗଉଟାନ ଦେଖାଯାଏ ନାହିଁ। ତେଣୁ ଜଙ୍ଗଲକୁ ଏହି ୫ଟି ଓରାଙ୍ଗଉଟାନ କେଉଁଠୁ ଏବଂ କିପରି ଆସିଲେ, ତାହାକୁ ନେଇ ବନବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।
ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଭାରତରେ ଓରାଙ୍ଗଉଟାନକୁ ନେଇ ନନ୍ଦନକାନନର ‘ବିନ୍ନି’ ବେଶ୍ ଚର୍ଚ୍ଚାରେ ଥିଲା। ବିନ୍ନିକୁ ୨୦୦୩ ନଭେମ୍ବର ୨୦ରେ ସିଙ୍ଗାପୁରରୁ ଭାରତ ଅଣାଯାଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଖାଯାଇଥିଲା । ଦୀର୍ଘଦିନ ଧରି ନନ୍ଦନକାନନର ଆକର୍ଷଣ ପାଲଟିଥିବା ବିନ୍ନି ୨୦୧୯ ମେ’ ୨୯ରେ ୪୧ ବର୍ଷ ବୟସରେ ଆଖି ବୁଜିଥିଲା। ଏହା ପରଠୁ ଆଉ କେବେ ନନ୍ଦନକାନନରେ ଓରାଙ୍ଗଉଟାନକୁ ଅଣାଯାଇ ନାହିଁ। ତେବେ ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନ ଏବେ ନନ୍ଦନକାନନରେ ରହିବେ। ଯାହା ପୁଣି ଥରେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ।