ଭୁବନେଶ୍ୱର: ଓଡ଼ିଶାକୁ ଶିଳ୍ପ ଓ ପୁଞ୍ଜିନିବେଶ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜିଠାରୁ ସଂଯୁକ୍ତ ଆରବ ଏମିରେଟ୍ସ (UAE) ର ଏକ ଗୁରୁତ୍ୱପୂର୍ଣ୍ଣ ୫ ଦିନିଆ ବିଦେଶ ଗସ୍ତରେ ବାହାରିଛନ୍ତି। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ବିଶ୍ୱସ୍ତରୀୟ ଶିଳ୍ପପତି ଓ ନିବେଶକମାନଙ୍କୁ ଭେଟି ଓଡ଼ିଶାରେ ନିବେଶ ପାଇଁ ଆମନ୍ତ୍ରଣ କରିବା ସହିତ ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବେ।
୯ ତାରିଖରେ ଆବୁଧାବି ଏବଂ ଦୁବାଇରେ ବଡ଼ ବୈଠକ
ଆଜି ପ୍ରଥମେ ନୂଆଦିଲ୍ଲୀ ଯାଇ ସେଠାରୁ ମୁଖ୍ୟମନ୍ତ୍ରୀ ଆବୁଧାବି ଗସ୍ତ କରିବେ। ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ବର ୯ ତାରିଖ ଦିନ ସେ ଇଣ୍ଟରନ୍ୟାସନାଲ ହୋଲ୍ଡିଂ କମ୍ପାନୀ (IHC), ଇଣ୍ଡିଆନ ବିଜନେସ ଆଣ୍ଡ ପ୍ରଫେସନାଲ ଗ୍ରୁପ୍ ଏବଂ ପେଟ୍ରୋକେମିକାଲ କ୍ଷେତ୍ରର ପ୍ରମୁଖ ସଂସ୍ଥା ବୋରଗ୍ (Borouge) ର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରିବେ। ସେହିଦିନ ସନ୍ଧ୍ୟାରେ ଦୁବାଇରେ 'ଓ୍ୱାନ୍ ଡିଷ୍ଟ୍ରିକ୍ଟ ଓ୍ୱାନ୍ ପ୍ରଡକ୍ଟ' (ODOP) ଯୋଜନା ଅଧୀନରେ ତିଆରି ଓଡ଼ିଶାର ସ୍ୱତନ୍ତ୍ର ସାମଗ୍ରୀ ପ୍ରଦର୍ଶନୀର ଉଦ୍ଘାଟନ ହେବାର କାର୍ଯ୍ୟକ୍ରମ ରହିଛି।
UAE ର ମନ୍ତ୍ରୀଙ୍କୁ ଭେଟିବେ ଏବଂ ଇନଭେଷ୍ଟର୍ସ ମିଟ୍
ମନ୍ତ୍ରୀସ୍ତରୀୟ ଆଲୋଚନା: ସେପ୍ଟେମ୍ବର ୧୦ ତାରିଖ ଦିନ ମୁଖ୍ୟମନ୍ତ୍ରୀ UAE ର ଅର୍ଥନୀତି ତଥା ପର୍ଯ୍ୟଟନ ମନ୍ତ୍ରୀ ତଥା କାଉନ୍ସିଲ ଅଫ୍ ଇଣ୍ଟରନ୍ୟାସନାଲ ଇନ୍ଭେଷ୍ଟମେଣ୍ଟ୍ସର ଅଧ୍ୟକ୍ଷ ଅବଦୁଲ୍ଲା ବିନ୍ ତକ୍ ଅଲ୍ ମାରିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏମିରେଟ୍ସ ଗ୍ଲୋବାଲ ଆଲୁମିନିଅମ୍ ଏବଂ ମିଡିଲ ଇଷ୍ଟ ରିସାଇକ୍ଲିଙ୍ଗ୍ ଆସୋସିଏସନ୍ ସହିତ ରାଉଣ୍ଡ ଟେବୁଲ ବୈଠକରେ ଯୋଗଦେବେ। ଆସନ୍ତା ୧୧ ତାରିଖ ଦିନ ଦୁବାଇରେ ଆୟୋଜିତ ହେବାକୁଥିବା ସ୍ୱତନ୍ତ୍ର ଓଡ଼ିଶା ଇନଭେଷ୍ଟର୍ସ ମିଟ୍ରେ ଶିଳ୍ପପତିମାନଙ୍କୁ ଓଡ଼ିଶାର ବ୍ୟାପକ ବ୍ୟାବସାୟିକ ସୁଯୋଗ ସମ୍ପର୍କରେ ଅବଗତ କରାଯିବ। ସେହିଦିନ ସେଠାରେ ରହୁଥିବା ପ୍ରବାସୀ ଓଡ଼ିଆମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିବେ।
ରାଜ୍ୟର ଶିଳ୍ପ ବିକାଶ ପାଇଁ ଏହା ଏକ ମାଇଲଖୁଣ୍ଟ
ପୂର୍ବରୁ ବିଭିନ୍ନ ରାଜ୍ୟ ଏବଂ ସିଙ୍ଗାପୁର ଗସ୍ତ କରି ରାଜ୍ୟରେ ନିବେଶ ଆଣିବାରେ ସଫଳ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ଏହି UAE ଗସ୍ତ ଓଡ଼ିଶାର ଶିଳ୍ପ ଇତିହାସରେ ଏକ ନୂଆ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି। ଏହି ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଶିଳ୍ପମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ଅଛନ୍ତି। ସମସ୍ତ କାର୍ଯ୍ୟକ୍ରମ ସାରି ମୁଖ୍ୟମନ୍ତ୍ରୀ ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ।