ପୁରୀ: ଜମିକୁ ଚାଷ ଜମିରୁ ବାସଗୃହ ଜମିରେ ପରିବର୍ତ୍ତନ (Land Conversion) କରିବା ପାଇଁ ୩୫ ହଜାର ଟଙ୍କା ଲାଞ୍ଚ ଦାବି ଓ ଗ୍ରହଣ କରୁଥିବା ବେଳେ ପୁରୀ ଜିଲ୍ଲାର ଦୁଇ ରାଜସ୍ୱ ଅଧିକାରୀଙ୍କୁ ସୋମବାର ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ରଙ୍ଗେହାତ ଗିରଫ କରିଛି। ଗିରଫ ଅଧିକାରୀମାନେ ହେଲେ ପିପିଲି ତହସିଲ ଅଧୀନ ସିଉଳା RI ସର୍କଲର ରେଭେନ୍ୟୁ ଇନ୍ସପେକ୍ଟର କଲ୍ୟାଣୀ ଜେନା ଓ ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର ପୂର୍ଣ୍ଣଚନ୍ଦ୍ର ବେହେରା।
ଭିଜିଲାନ୍ସ ସୂତ୍ରରୁ ପ୍ରକାଶ, ଅଭିଯୋଗକାରୀ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିୟମ ଅନୁଯାୟୀ ନିଜ ଚାଷ ଜମିକୁ ବାସଗୃହ ଜମିରେ ପରିବର୍ତ୍ତନ ପାଇଁ ଆବେଦନ କରିଥିଲେ। ତେବେ ଫାଇଲର ତଦନ୍ତ ରିପୋର୍ଟ ପ୍ରସ୍ତୁତ କରି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପଠାଇବା ବଦଳରେ ଉଭୟ ଅଧିକାରୀ ୩୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ।
ଅଭିଯୋଗକାରୀ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ଲାଞ୍ଚ ନ ଦେଲେ କାମ ହେବ ନାହିଁ ବୋଲି ଅଧିକାରୀମାନେ ସ୍ପଷ୍ଟ କରିଦେଇଥିଲେ। ଏହାପରେ ସେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ।
ଅଭିଯୋଗକୁ ଆଧାର କରି ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ସୋମବାର ଏକ ସୁଚିନ୍ତିତ ଟ୍ରାପ୍ ଅପରେସନ କରିଥିଲା। ଯୋଜନା ଅନୁଯାୟୀ ଅଭିଯୋଗକାରୀ ୩୫ ହଜାର ଟଙ୍କା ଦେବା ସମୟରେ ଉଭୟ ଅଧିକାରୀଙ୍କୁ ରଙ୍ଗେହାତ କାବୁ କରାଯାଇଥିଲା। ଲାଞ୍ଚର ସମସ୍ତ ଟଙ୍କା ଜବତ କରି ପ୍ରମାଣ ଭାବେ ସିଜ୍ କରାଯାଇଛି।
ଗିରଫ ପରେ ଭିଜିଲାନ୍ସ ଅସଙ୍ଗତ ସମ୍ପତ୍ତି (DA) ଦିଗରୁ ମଧ୍ୟ ତଦନ୍ତ ଆରମ୍ଭ କରିଛି। ଏନେଇ ପୁରୀର ବ୍ରହ୍ମକୁଣ୍ଡି (ଚାରିଛକ), ଅଚ୍ୟୁତପୁର (ଚନ୍ଦନପୁର) ଏବଂ ଭୁବନେଶ୍ୱରର ରସୁଲଗଡ଼ ସ୍ଥିତ ତିନୋଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି।
ଏହି ଘଟଣାରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ–୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଥିବା ବେଳେ ଉଭୟ ଅଭିଯୁକ୍ତଙ୍କ ବିରୋଧରେ ଅଧିକ ତଦନ୍ତ ଚାଲିଛି।