ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀ ସତ୍ୟ ନିକେତନରେ କୋଠା ଭୁଶୁଡ଼ିବା ମାମଲାରେ ଘର ମାଲିକ ହରିଓମ ବଂଶଲଙ୍କୁ ରାଜସ୍ଥାନ ଭିବାଡ଼ୀରୁ ଗିରଫ କରାଯାଇଛି । ସୋମବାର ଦିଲ୍ଲୀ ପୋଲିସ ହରିଓମଙ୍କୁ ଗିରଫ କରିଛି । ପୁଲିସ କମିଶନର ନୀରଜ ଠାକୁର ଏହି ସୂଚନା ଦେଇଛନ୍ତି ।
ଗତକାଲି କୋଠା ଭୁଶୁଡ଼ିବା ପରଠାରୁ ପୋଲିସ ମାଲିକଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତାଙ୍କୁ ଖୋଜୁଥିଲା । ଦିଲ୍ଲୀ, ହରିୟାଣା ଏବଂ ରାଜସ୍ଥାନରେ ଏକାଧିକ ପୋଲିସ ଟିମ୍ ଚଢ଼ଉ କରିଥିଲେ । ଆଜି ତାଙ୍କୁ ରାଜସ୍ଥାନରୁ ଗିରଫ କରାଯିବା ପରେ ଦିଲ୍ଲୀ ଅଣାଯିବ ।
ଗତକାଲି ଦିନ ସାଢ଼େ ଗୋଟାଏ ସମୟରେ ସତ୍ୟନିକେତରେ ଏକ ପାଞ୍ଚ ମହଲା ଆବାସିକ କୋଠା ଭୁଶୁଡ଼ି ପଡ଼ିଥିଲା । ଏଥିରେ ଅନେକ ଲୋକ ଚାପି ହୋଇଯାଇଥିଲେ । ସେଥି ମଧ୍ୟରୁ ୭ ଜଣଙ୍କର ଏଯାବତ ମୃତ୍ୟୁ ହୋଇଛି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ କୋଠାରେ ପିଜି ହଷ୍ଟେଲ ଚାଲିଥିଲା । ଏହା ସହିତ ବିଗତ ଏକ ମାସ ହେବ କୋଠାର ତଳ ମହଲାରେ ନିର୍ମାଣ କାର୍ଯ୍ୟ ଜାରି ରହିଥିଲା । ବିଗତ କିଛି ଦିନ ହେବ ଲଗାଣ ବର୍ଷା ହେବାରୁ ପାଣି ଜମି ରହିଥିଲା । ଯାହା ଦ୍ୱାରା ଦୁର୍ବଳ କୋଠାଟି ଭୁଶୁଡ଼ି ପଡ଼ିଥିଲା ।
ଏହି ମାମଲାରେ ଦିଲ୍ଲୀ ମହାନଗର ନିଗମର ପାଞ୍ଚ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏମସିଡି ଦକ୍ଷିଣ ଜୋନର ଉପାୟୁକ୍ତ ରାକେଶ କୁମାର, ଅଧିକ୍ଷକ ଯନ୍ତ୍ରୀ ରଣବୀର ସିଂହ, ପର୍ଯ୍ୟବେକ୍ଷକ ଯନ୍ତ୍ରୀ ଲଳିତ କୁମାର ଗୋୟଲ, ଦୁଇ ସହକାରୀ ଯନ୍ତ୍ରୀ ସୁନୀଲ ଚୌହ୍ୱାନ ଓ ଆଶୀଷ କୁମାରଙ୍କୁ ତତ୍କାଳ ସ୍ୱରୂପ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । କୌଣସି କୋଠା ଭୁଶୁଡ଼ିବା ମାମଲାରେ ଉପାୟୁକ୍ତ ସ୍ତରରେ କାର୍ଯ୍ୟାନୁଷ୍ଠାନ ହେବାର ଏହା ପ୍ରଥମ ମାମଲା ଅଟେ ।