ଭୁବନେଶ୍ୱର: ଓଡ଼ିଶା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଶେଷ ହେବା ପରେ ରାଜ୍ୟ ସଭାପତି ମନମୋହନ ସାମଲ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ତାଙ୍କର ଏହି ଅଚାନକ ଦିଲ୍ଲୀ ଯାତ୍ରାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।
ଦଳୀୟ ସୂତ୍ର ଅନୁସାରେ, ରାଜ୍ୟ କାର୍ଯ୍ୟକାରିଣୀରେ ଗୃହୀତ ପ୍ରସ୍ତାବ, ସାଂଗଠନିକ ନିଷ୍ପତ୍ତି ଏବଂ ତୃଣମୂଳ ସ୍ତରରୁ ମିଳିଥିବା ମତାମତକୁ କେନ୍ଦ୍ରୀୟ ନେତୃତ୍ୱଙ୍କ ସମ୍ମୁଖରେ ଉପସ୍ଥାପନ କରିପାରନ୍ତି ସାମଲ। ଏହା ସହ ବିଭିନ୍ନ ନିଗମ ଓ ବୋର୍ଡରେ ନିଯୁକ୍ତି ପାଇଁ କେନ୍ଦ୍ରୀୟ ଅନୁମୋଦନ ପ୍ରସଙ୍ଗ ମଧ୍ୟ ଆଲୋଚନାରେ ରହିପାରେ।
ପଞ୍ଚାୟତ ଓ ପୌର ନିର୍ବାଚନ ଉପରେ ଫୋକସ୍
ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ସଂଗଠନକୁ ଅଧିକ ସୁଦୃଢ଼ କରିବା, ବୁଥ୍ ସ୍ତରର ପ୍ରସ୍ତୁତି ଏବଂ ନିର୍ବାଚନୀ ରୋଡମ୍ୟାପ୍ ପ୍ରସ୍ତୁତି ନେଇ ମଧ୍ୟ କେନ୍ଦ୍ରୀୟ ନେତୃତ୍ୱ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇପାରେ।
ବଡ଼ ପରିବର୍ତ୍ତନର ଆଭାସ?
କାର୍ଯ୍ୟକାରିଣୀ ବୈଠକ ପରେ ସଙ୍ଗେ ସଙ୍ଗେ ଦିଲ୍ଲୀ ଗସ୍ତ ହେତୁ ଦଳ ଭିତରେ କିଛି ନୂଆ ସାଂଗଠନିକ ନିଷ୍ପତ୍ତି କିମ୍ବା ଦାୟିତ୍ୱ ବଣ୍ଟନ ନେଇ ଜଳ୍ପନା ବଢ଼ିଛି। ଯଦିଓ ଏନେଇ ବିଜେପି ପକ୍ଷରୁ କୌଣସି ଆନୁଷ୍ଠାନିକ ସ୍ପଷ୍ଟୀକରଣ ମିଳିନାହିଁ, ତଥାପି ସାମଲଙ୍କ ଏହି ଦିଲ୍ଲୀ ଗସ୍ତ ଆଗାମୀ ଦିନରେ ରାଜ୍ୟ ବିଜେପିରେ କିଛି ବଡ଼ ଘୋଷଣାର ସଙ୍କେତ ବୋଲି ଚର୍ଚ୍ଚା ହେଉଛି।