ଅନୁଗୋଳ: ପୂଜା ଋତୁକୁ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ରଖିବା ପାଇଁ ଅନୁଗୋଳ ଜିଲ୍ଲା ପୋଲିସ ସାଧାରଣ ଲୋକଙ୍କୁ ବଡ଼ ଆହ୍ୱାନ କରିଛି। ପୂଜା କିମ୍ବା ଅନ୍ୟ କୌଣସି ପୂଜାପର୍ବ ନାଁରେ ଜବରଦସ୍ତି ଚାନ୍ଦା ମାଗିଲେ କିମ୍ବା ବଳପୂର୍ବକ ଅର୍ଥ ଆଦାୟ କଲେ ତୁରନ୍ତ ପୋଲିସକୁ ଜଣାନ୍ତୁ ବୋଲି ଅନୁରୋଧ କରିଛି।
ସୋସିଆଲ ମିଡିଆରେ ଜାରି କରାଯାଇଥିବା ସଚେତନତା ବାର୍ତ୍ତାରେ ପୋଲିସ ସ୍ପଷ୍ଟ କରିଛି ଯେ, କୌଣସି ବ୍ୟକ୍ତି କିମ୍ବା ପୂଜା କମିଟି ବେଆଇନ ଭାବେ ଦାନ ବା ଚାନ୍ଦା ଦାବି କରିପାରିବେ ନାହିଁ। ଏପରି ଘଟଣା ସାମ୍ନାକୁ ଆସିଲେ ସଙ୍ଗେ ସଙ୍ଗେ ପଦକ୍ଷେପ ନିଆଯିବ।
କେମିତି କରିବେ ଅଭିଯୋଗ?
ଅନୁଗୋଳ ପୋଲିସ ଲୋକଙ୍କ ପାଇଁ ତିନୋଟି ମାଧ୍ୟମ ଉପଲବ୍ଧ କରାଇଛି—
- ୧୧୨ ଜରୁରୀକାଳୀନ ହେଲ୍ପଲାଇନ୍କୁ ଫୋନ୍ କରନ୍ତୁ
- ଇ-ମେଲ୍: spang.odpol@od.gov.in
- ନିକଟସ୍ଥ ଥାନାରେ ସିଧାସଳଖ ଅଭିଯୋଗ କରନ୍ତୁ
ପୋଲିସ କହିଛି, ଅଭିଯୋଗ ମିଳିବା ପରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଅଭିଯୋଗକାରୀଙ୍କ ସୂଚନାକୁ ଗୁରୁତ୍ୱ ସହ ବିଚାର କରାଯିବ।
ପୂଜାକୁ କରନ୍ତୁ ଶାନ୍ତିପୂର୍ଣ୍ଣ
ଆସନ୍ତା ପୂଜା ପର୍ବକୁ ଭୟମୁକ୍ତ ଓ ଶାନ୍ତିପୂର୍ଣ୍ଣ ପରିବେଶରେ ପାଳନ କରିବା ପାଇଁ ଅନୁଗୋଳ ଜିଲ୍ଲା ପୋଲିସ ସମସ୍ତଙ୍କ ସହଯୋଗ ଲୋଡ଼ିଛି। ପୂଜା ନାଁରେ ଜବରଦସ୍ତି ଚାନ୍ଦା ଆଦାୟକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି ପୋଲିସ ପକ୍ଷରୁ ସ୍ପଷ୍ଟ ସନ୍ଦେଶ ଦିଆଯାଇଛି।