ନୂଆଦିଲ୍ଲୀ: କୋଚିନରୁ ଆବୁଧାବି ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାରେ ହଠାତ ଇନ୍ଧନ ଶେଷ ହୋଇଯିବାରୁ ବିମାନକୁ ଜରୁରୀ ଅବତରଣ କରାଯାଇଛି । କୋଚିନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପାଇଲଟ ବିମାନକୁ ଜରୁରୀ ଅବତରଣ କରିଛନ୍ତି । ଫଳରେ ଏକ ନିଶ୍ଚିତ ଦୁର୍ଘଟଣାରୁ ବିମାନଟି ବର୍ତ୍ତିଯାଇଥିବାବେଳେ ଶତାଧିକ ଯାତ୍ରୀଙ୍କ ଜୀବନ ମଧ୍ୟ ରକ୍ଷା ହୋଇଯାଇଛି ।
ସୂଚନା ଅନୁସାରେ, ଏୟାର ଇଣ୍ଡିଆ ଏକ୍ସପ୍ରେସ ବୋଇଂ ୭୩୭ ବିମାନ (IX 415) କୋଚିନରୁ ଆବୁଧାବୁ ଅଭିମୁଖେ ଯାତ୍ରା କରିଥିଲା । ଉଡ଼ାଣ ଭରିବାର ମାତ୍ର ୫୦ ମିନିଟ୍ ପରେ ସହ ଚାଳକ ୧ ନଂ ଇଞ୍ଜିନରେ ଇନ୍ଧନର ପରିମାଣ ହଠାତ ହ୍ରାସ ପାଉଥିବା ଦେଖିବାକୁ ପାଇଥିଲେ । ସେତେବେଳେ ବିମାନଟି ପ୍ରାୟ ୩୬,୦୦୦ ଫୁଟ ଉଚ୍ଚରେ ଉଡ଼ୁଥିଲା । ଇନ୍ଧନର ପରିମାଣ କ୍ରମାଗତ ଭାବେ ହ୍ରାସ ପାଇବାରୁ କକପିଟରେ ନାଲି ସଙ୍କେତ ଦେଖାଇଅଥିଲା । ଏହା ପରେ ଚାଳକ ତୁରନ୍ତ ବିମାନକୁ ଆବୁଧାବିକୁ ନେବା ବଦଳରେ କୋଚିନରେ ପୁନର୍ବାର ଜରୁରୀ ଅବତରଣ କରିଥିଲେ । ପ୍ରାୟ ୪୫ ମିନିଟ୍ ପରେ ବିମାନଟି ଜରୁରୀ ଅବତରଣ କରିଥିଲା । ଏହା ପରେ ମୁମ୍ବାଇ ରେଡ଼ିଓ ଜରିଆରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲକୁ ସୂଚନା ଦିଆଯାଇଥିଲା ।
ପ୍ରକାଶ ଯୋଗ୍ୟ, ନିକଟରେ ଫୁକେଟରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ପାଇଲଟଙ୍କ ବେପରୁଆ ମନୋଭାବ ପାଇଁ ଶତାଧିକ ଯାତ୍ରୀଙ୍କ ଜୀବନ ବାଜିରେ ଲାଗିଥିଲା । ପାଇଲଟ୍ ନିଶା ଶକ୍ତ ଅବସ୍ଥାରେ ବିମାନ ଚଳାଉଥିବାବେଳେ ହଠାତ ବିମାନଟି ତଳକୁ ଖସି ପୁଣି ଉପରକୁ ଉଠିଥିଲା । ପରେ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଥିଲା ।