ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ISRO)ର ଘରୋଇକରଣ ଏବଂ ଏହାର ଭୂମିକାକୁ ନେଇ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଚାଲିଥିବା ବିଭିନ୍ନ କଳ୍ପନାଜଳ୍ପନା ଉପରେ ପରଦା ପଡ଼ିଛି। ମହାକାଶ କ୍ଷେତ୍ରରେ ସଂସ୍କାର ଏବଂ ବେସରକାରୀ ସଂସ୍ଥାଗୁଡ଼ିକର ଅଂଶଗ୍ରହଣକୁ ନେଇ ଉଠୁଥିବା ପ୍ରଶ୍ନର ଜବାବ ଦେଇ ଇସ୍ରୋ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଏଭଳି ସମସ୍ତ ଦାବି ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଅସତ୍ୟ ଅଟେ।
ରବିବାର ସ୍ପଷ୍ଟୀକରଣ ରଖି ଇସ୍ରୋ ପକ୍ଷରୁ କୁହାଯାଇଛି ଯେ, ସଂସ୍ଥାର ନା କୌଣସି ପ୍ରକାରେ ଘରୋଇକରଣ କରାଯିବ ଏବଂ ନା ହିଁ ଏହାର ମହତ୍ତ୍ୱ କମାଯିବ। ଅତ୍ୟାଧୁନିକ ମହାକାଶ ଗବେଷଣା, ଜ୍ଞାନକୌଶଳର ବିକାଶ, ଜାତୀୟ ତଥା ରଣନୈତିକ ମିଶନ ଏବଂ ମହାକାଶ ଅନ୍ୱେଷଣ କ୍ଷେତ୍ରରେ ଇସ୍ରୋ ପୂର୍ବଭଳି ଭାରତର ପ୍ରମୁଖ ଏବଂ ସର୍ବୋଚ୍ଚ ସଂସ୍ଥା ହୋଇ ରହିବ।
ବେସରକାରୀ ଅଂଶଗ୍ରହଣର ପ୍ରକୃତ ଉଦ୍ଦେଶ୍ୟ କ’ଣ ?
ମହାକାଶ କ୍ଷେତ୍ରରେ ବେସରକାରୀ କ୍ଷେତ୍ରର ଭାଗିଦାରୀ ସମ୍ପର୍କରେ ସ୍ପଷ୍ଟ କରି ଇସ୍ରୋ କହିଛି ଯେ, ଏହାର ଉଦ୍ଦେଶ୍ୟ କୌଣସି ପ୍ରକାରେ ଇସ୍ରୋର ଭୂମିକାକୁ ନ୍ୟୁନ କରିବା ନୁହେଁ। ବରଂ ଏହାର ମୂଳ ଲକ୍ଷ୍ୟ ହେଲା ଇସ୍ରୋକୁ ଭାରତର ମହାକାଶ କାର୍ଯ୍ୟକ୍ରମର ପରବର୍ତ୍ତୀ ପିଢ଼ିର ପ୍ରକଳ୍ପଗୁଡ଼ିକ ଉପରେ ଅଧିକ ଦୃଢ଼ତା ସହ ଧ୍ୟାନ କେନ୍ଦ୍ରିତ କରିବାରେ ସକ୍ଷମ କରିବା। ସେପଟେ ଶିଳ୍ପସଂସ୍ଥାଗୁଡ଼ିକ ପରିପକ୍ୱ ଜ୍ଞାନକୌଶଳ ଏବଂ ବ୍ୟାପକ କ୍ଷମତାର ବିକାଶ କରିବେ।
ଇସ୍ରୋର ନେତୃତ୍ୱରେ ଜାତୀୟ ମହାକାଶ ଇକୋସିଷ୍ଟମ
୨୦୨୦ ମସିହାରେ ଆରମ୍ଭ ହୋଇଥିବା ମହାକାଶ ସଂସ୍କାର ଏବଂ 'ଭାରତୀୟ ମହାକାଶ ନୀତି-୨୦୨୩' ଜରିଆରେ ଦେଶରେ ଏକ ବିଶାଳ, ଶକ୍ତିଶାଳୀ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ମହାକାଶ ଇକୋସିଷ୍ଟମ ଗଢ଼ିବାକୁ ଲକ୍ଷ୍ୟ ରଖାଯାଇଛି। ଷ୍ଟାର୍ଟଅପ୍ ଏବଂ ଶିଳ୍ପଜଗତକୁ ଏହି କ୍ଷେତ୍ରରେ ସୁଯୋଗ ମିଳିବା ଦ୍ୱାରା ଇସ୍ରୋର କ୍ଷମତା ଆହୁରି ବ୍ୟାପକ ହେବ। ଟେକ୍ନୋଲୋଜି ହସ୍ତାନ୍ତରଣର ଅର୍ଥ ଏହା ନୁହେଁ ଯେ ଇସ୍ରୋ ସେହି କ୍ଷେତ୍ରରୁ ପଛକୁ ହଟିଯାଉଛି, ବରଂ ଏହା ବ୍ୟାପକ ଉତ୍ପାଦନ, ବଜାର ପ୍ରବେଶ ଏବଂ ଉଦ୍ଭାବନ ପାଇଁ ସହାୟକ ହେଉଛି।