ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ନିଜର ସ୍ପଷ୍ଟବାଦୀ ମନ୍ତବ୍ୟ ପାଇଁ ସର୍ବଦା ଚର୍ଚ୍ଚାରେ ରୁହନ୍ତି। ସେ ଏବେ ଏକ ସାଧାରଣ କାର୍ଯ୍ୟକ୍ରମରେ ନିର୍ବାଚନୀ ଫଳାଫଳ ଏବଂ ଭୋଟ୍ ଗ୍ରହଣକୁ ନେଇ ଏପରି ଏକ ବୟାନ୍ ଦେଇଛନ୍ତି, ଯାହା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଗଡ଼କରୀ କହିଛନ୍ତି ଯେ, ସହରର ପଢ଼ିଲେଖା ଏବଂ ସଭ୍ୟ ଅଞ୍ଚଳ ଅପେକ୍ଷା ଅପରାଧପ୍ରବଣ ତଥା ଅବହେଳିତ ଅଞ୍ଚଳରୁ ତାଙ୍କୁ ଅଧିକ ଭୋଟ୍ ମିଳିଥାଏ।
ଶିକ୍ଷିତ ଅଞ୍ଚଳ ତୁଳନାରେ ରେଡ୍ ଲାଇଟ୍ ଏରିଆରୁ ମିଳିଛି ଅଧିକ ସମର୍ଥନ
ନାଗପୁରର ଏକ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ନିର୍ବାଚନ ସମୟରେ ସହରର ବଡ଼ ଓ ଶିକ୍ଷିତ ଅଞ୍ଚଳରୁ ମୋଟ ମତଦାନର ପ୍ରାୟ ୭୦ରୁ ୭୫ ପ୍ରତିଶତ ଭୋଟ୍ ମିଳିଥିବା ବେଳେ ଅପରାଧୀ, ଅଣ୍ଡରୱାର୍ଲ୍ଡ ଏବଂ ରେଡ୍ ଲାଇଟ୍ ଏରିଆ ଭଳି ଅଞ୍ଚଳରୁ ୯୨ ପ୍ରତିଶତ ପର୍ଯ୍ୟନ୍ତ ଭୋଟ୍ ମିଳିଛି। ତାଙ୍କ କହିବା ଅନୁଯାୟୀ, ସେହି ଅଞ୍ଚଳର ଲୋକମାନେ ତାଙ୍କୁ ଅଧିକ ଭଲପାଇବା ଏବଂ ସମର୍ଥନ ଦେଇଛନ୍ତି।
"ସମସ୍ତଙ୍କ ସହ ସମ୍ପର୍କ ଅଛି, ମାତ୍ର ଏହାର ଅର୍ଥ ଭୁଲ୍ ନୁହେଁ"
କାର୍ଯ୍ୟକ୍ରମରେ ସ୍ପଷ୍ଟୀକରଣ ରଖି ନିତିନ ଗଡ଼କରୀ କହିଛନ୍ତି ଯେ, ସେଠାକାର ସାମାଜିକ କର୍ମୀ ଏବଂ ବିଭିନ୍ନ ବର୍ଗର ଲୋକଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି। ମାତ୍ର ଏହାର ଅର୍ଥ ଏହା ନୁହେଁ ଯେ ସେ ସେମାନଙ୍କର କୌଣସି ଅପରାଧିକ କାର୍ଯ୍ୟକଳାପକୁ ସମର୍ଥନ କରନ୍ତି। ସମସ୍ତଙ୍କ ସହ ବ୍ୟକ୍ତିଗତ ଭାବେ ସୁସମ୍ପର୍କ ରହିବା ଏବଂ ରାଜନୈତିକ ସମର୍ଥନକୁ ଅଲଗା ଦୃଷ୍ଟିକାଳରୁ ଦେଖିବାକୁ ସେ ପରାମର୍ଶ ଦେଇଛନ୍ତି।