ଉତ୍ତର ପ୍ରଦେଶର ସହାରନପୁରସ୍ଥିତ କଲେକ୍ଟରେଟ୍ ପରିସରରେ ଥିବା ମସଜିଦ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନର ୨୪ ଘଣ୍ଟା ପରେ ରବିବାର ଜବରଦଖଲ ଉଚ୍ଛେଦ ମାଟି-ଫଥର ହଟାଇବା ସମୟରେ ମସଜିଦ ତଳୁ ଏକ ପୁରୁଣା କୂଅ ମିଳିବା ଘଟଣା ସାମ୍ନାକୁ ଆସିଛି। ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି। କୂଅର ଗଭୀରତା ପ୍ରାୟ ୨୦ ରୁ ୨୫ ଫୁଟ ହେବ ବୋଲି କୁହାଯାଉଛି। ଘଟଣାସ୍ଥଳରେ ଏକ ଭାରୀ କଂକ୍ରିଟ୍ ସ୍ଲାବ୍ ମିଳିଥିଲା, ଯାହାକୁ ପୋକଲେଣ୍ଡ ମେସିନ୍ ଦ୍ୱାରା ହଟାଯାଇପାରି ନଥିଲା। ପରବର୍ତ୍ତୀ ସମୟରେ କଟର ସାହାଯ୍ୟରେ ସ୍ଲାବକୁ କାଟି ହଟାଇବା ପରେ ତା' ତଳେ କୂଅଟି ଦୃଶ୍ୟମାନ ହୋଇଥିଲା।
କୂଅ ମିଳିବା ଖବର ପାଇବା ପରେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି। କୂଅଟି କେତେ ପୁରୁଣା ଏବଂ ଏହାର ପ୍ରକୃତ ଇତିହାସ କ’ଣ, ତାହା ଯାଞ୍ଚ ପରେ ହିଁ ସ୍ପଷ୍ଟ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ସଦର SDM ସୁବୋଧ କୁମାର କହିଛନ୍ତି ଯେ, ଉଚ୍ଛେଦ କାର୍ଯ୍ୟାନୁଷ୍ଠାନ ସମୟରେ ମସଜିଦ ତଳୁ ଏକ କୂଅ ମିଳିଛି। ଏହାର ଗଭୀରତା ଆନୁମାନିକ ୨୦ ରୁ ୨୫ ଫୁଟ। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ASI) ଟିମ୍ ଦ୍ୱାରା ଏହାର ଯାଞ୍ଚ କରାଯିବ। ଯାଞ୍ଚ ରିପୋର୍ଟ ଆସିବା ପରେ ହିଁ ଏହାର ପ୍ରକୃତ ସ୍ଥିତି ସାମ୍ନାକୁ ଆସିବ।
ASI ଯାଞ୍ଚ ପାଇଁ ଦାବି
ମସଜିଦ ମାମଲାର ଅଭିଯୋଗକାରୀ ତଥା ବଜରଙ୍ଗ ଦଳର ପୂର୍ବତନ ପ୍ରାନ୍ତ ସଂଯୋଜକ ବିକାଶ ତ୍ୟାଗୀ କୂଅ ମିଳିବା ଘଟଣାକୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ମସଜିଦ ଆଖପାଖରେ କୌଣସି ପୂଜନୀୟ ସ୍ଥଳ ଥାଇପାରେ ବୋଲି ତାଙ୍କର ପୂର୍ବରୁ ଆଶଙ୍କା ଥିଲା, ଯାହା ଏବେ କୂଅ ମିଳିବା ପରେ ଅଧିକ ଦୃଢ଼ ହୋଇଛି। ପ୍ରତ୍ନତତ୍ତ୍ୱ ବିଭାଗର ଟିମକୁ ଡକାଇ କୂଅର ବିସ୍ତୃତ ଯାଞ୍ଚ କରାଯାଉ ବୋଲି ସେ ପ୍ରଶାସନ ନିକଟରେ ଦାବି କରିଛନ୍ତି।
‘ହିନ୍ଦୁ ଧର୍ମରେ କୂଅର ରହିଛି ବିଶେଷ ଧାର୍ମିକ ମହତ୍ତ୍ୱ’
ଏହି କୂଅଟି କେତେକ ଶହ ବର୍ଷ ପୁରୁଣା ହୋଇଥାଇପାରେ ବୋଲି ସେ କହିଛନ୍ତି। ହିନ୍ଦୁ ଧର୍ମରେ କୂଅର ବିଶେଷ ଧାର୍ମିକ ମହତ୍ତ୍ୱ ରହିଛି ଏବଂ ପ୍ରାଚୀନ କାଳରେ ମନ୍ଦିର ପରିସରରେ କୂଅ ନିର୍ମାଣ କରାଯାଉଥିଲା ବୋଲି ସେ ଦାବି କରିଛନ୍ତି। ପୂର୍ବରୁ ସେଠାରେ ମନ୍ଦିର ଥିଲା ଏବଂ ପରବର୍ତ୍ତୀ ସମୟରେ ମନ୍ଦିରକୁ ହଟାଇ ମସଜିଦ ନିର୍ମାଣ କରାଯାଇଥିଲା ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ପ୍ରତ୍ନତତ୍ତ୍ୱ ବିଭାଗର ଯାଞ୍ଚ ଆଧାରରେ ପ୍ରଶାସନ ଆଗାମୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ବୋଲି ସେ କହିଛନ୍ତି।
କଂଗ୍ରେସ ସାଂସଦ ଇମ୍ରାନ ମସୁଦଙ୍କ ପ୍ରତିକ୍ରିୟା
ଅନ୍ୟପଟେ କଲେକ୍ଟରେଟ୍ ମସଜିଦ ତଳୁ କୂଅ ମିଳିବା ଘଟଣାରେ କଂଗ୍ରେସ ସାଂସଦ ଇମ୍ରାନ ମସୁଦଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ, ମସଜିଦଗୁଡ଼ିକରେ ହାତ-ମୁହଁ ଧୋଇବା ପାଇଁ କୂଅ ଥିବା କୌଣସି ଅସାଧାରଣ କଥା ନୁହେଁ। ପୁରୁଣା ସମୟରେ ଜଳର ମୁଖ୍ୟ ଉତ୍ସ ଭାବେ ମସଜିଦଗୁଡ଼ିକରେ କୂଅ ଖୋଳାଯାଉଥିଲା ଏବଂ ତାଙ୍କ ଘର ପାଖରେ ଥିବା ମସଜିଦରେ ମଧ୍ୟ କୂଅ ରହିଛି। ଏହି ପୁରା ମାମଲାରେ ସେ ବଡ଼ ଆଇନଗତ ଲଢ଼େଇ ଲଢ଼ିବେ ବୋଲି କହିଛନ୍ତି।
କୂଅ ମିଳିବା ପରେ ନୂଆ ବିବାଦ
ଫଳରେ କଲେକ୍ଟରେଟ୍ ପରିସରରୁ ମିଳିଥିବା ଏହି କୂଅ ଏବେ ବିବାଦର ନୂଆ କେନ୍ଦ୍ରବିନ୍ଦୁ ପାଲଟିଛି। ଗୋଟିଏ ପଟେ ହିନ୍ଦୁ ପକ୍ଷ ଏହାକୁ ପୁରୁଣା ଧାର୍ମିକ ସ୍ଥଳ ସହ ଯୋଡ଼ି ଦେଖୁଥିବା ବେଳେ ସାଂସଦ ଇମ୍ରାନ ମସୁଦଙ୍କ କହିବା କଥା ଯେ ପୁରୁଣା କାଳରେ ପାଣି ପାଇଁ ମସଜିଦରେ କୂଅ ରହୁଥିଲା। ସେପଟେ କୌଣସି ନିଷ୍କର୍ଷରେ ପହଞ୍ଚିବା ପୂର୍ବରୁ ପ୍ରତ୍ନତାତ୍ତ୍ୱିକ ଯାଞ୍ଚ କରାଯିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି।