କେନ୍ଦୁଝରରୁ ଭୁବନେଶ୍ୱର ଯାଉଥିବା ଏକ ଚଳନ୍ତା ଯାତ୍ରୀବାହୀ ବସ୍ ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ ଖାଲକୁ ଖସିପଡ଼ିଥିଲା । ବସ୍ଟି କେନ୍ଦୁଝରର ତେଲକୋଇରୁ ବାହାରି ଭୁବନେଶ୍ୱର ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ବସ୍ ଟିର ନାମ ପୂଜାରିଣୀ । ପ୍ରାୟ ୫୦ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ଯାତ୍ରୀବାହୀ ବସଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଦ୍ରୁତ ବେଗ ଯୋଗୁଁ ବସ ଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵର ଏକ ଖାଲକୁ ପଶିଯାଇଥିଲା। ତେବେ ବସ ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି।
ଦୁର୍ଘଟଣା ପରେ ସ୍ଥାନୀୟ ଟାଉନ ଥାନା ପୋଲିସ ଓ ପ୍ରଶାସନିକ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କ୍ରେନ୍ ସାହାଯ୍ୟରେ ବସକୁ ଉଦ୍ଧାର କରିବା ସହ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିଥିଲେ। ଉଦ୍ଧାର ପରେ ଯାତ୍ରୀମାନଙ୍କୁ ବିଶ୍ରାମ ଦିଆଯିବା ସହ ସେମାନଙ୍କୁ ପଠାଇବା ପାଇଁ ଗନ୍ତବ୍ୟ ସ୍ଥଳକୁ ବ୍ୟବସ୍ଥା କରାଯାଇଥିଲା।